ମନମୋହନ-ସୂରଜଙ୍କ ପାଇଁ କଣ୍ଟା ହେବେ କି ରାଜୁ ଦାସ

ରାତାରାତି ରାଜ୍ୟ ରାଜନୀତିରେ ଷ୍ଟାର ପାଲଟିଥିବା ରାଜୁ ଦାସ ଏବେ ଚର୍ଚ୍ଚାରେ । ସୋର ବିଧାନସଭା ଲାଗି ବିଜେପିରୁ ଟିକେଟ ପାଇଲେ, ନୋମିନେସନ ବି କଲେ । ହେଲେ ବିଜେଡି ଛାଡ଼ି ଯେଉଁ ବିଜେପିକୁ ଭରସା କରିଥିଲେ, ସେହି ବିଜେପି ଧୋକା ଦେଲା । ରାଜୁ ଦାସ ଏବେ ବିଜେଡିରେ । ଯେଉଁ ଭୁଲ ୨୦୨୨ ଉପନିର୍ବାଚନରେ କରିଥିଲେ, ତାର ପୁନରାବୃତି ଏଥର ରାଜୁ ଦାସ କରିବେନି । ବିଜେପିକୁ ସବକ ସିଖାଇବା ପାଇଁ ସେ ଭିଡିଛନ୍ତି ଅଣ୍ଟା । ରାଜୁ ନିଶାନାରେ ଏବେ ମନମୋହନ ଓ ସୂର୍ଯ୍ୟବଂଶୀ ।

୨୦୦୯ରେ ଧାମନଗର ବିଧାନସଭାରୁ ବିଜେଡି ଟିକେଟରେ ଲଢିଥିଲେ । ବିଜେପିର ସ୍ୱର୍ଗତଃ ବିଷ୍ଣୁ ସେଠୀଙ୍କ ଫାଇଟ କରି ବିଜୟୀ ହୋଇଥିଲେ । ୨୦୧୯ରେ ପୁଣି ବିଜେଡିରୁ ଲଢିଥିଲେ କିନ୍ତୁ ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ । ୨୦୨୨ ବିଷ୍ଣୁଙ୍କ ଦେହାନ୍ତ ପରେ ଧାମନଗରରେ ଉପନିର୍ବାଚନ ହେଲା । ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀଙ୍କୁ ପ୍ରାର୍ଥୀ କଲା ଭାରତୀୟ ଜନତା ପାର୍ଟି । କିନ୍ତୁ ବିଜେଡି ରାଜୁ ଦାସଙ୍କୁ ଟିକେଟ ନଦେଇ ଅବନ୍ତି ଦାସଙ୍କୁ ଭରସା କରିଥିଲା । ଯାହାଫଳରେ ରାଜୁ ବିଜେଡି ଛାଡ଼ି ସ୍ୱାଧୀନରୁ ଲଢିଥିଲେ । ଲଢେଇ ଭିତରେ ସୂର୍ଯ୍ୟବଂଶୀ ୧୦ହଜାର ଭୋଟରେ ବିଜୟୀ ହେଲେ । ଏହାପରେ ବିଜେପିରେ ମିଶିଥିଲେ ରାଜେନ୍ଦ୍ର ଦାସ । ଟିକେଟ ଆଶାୟୀ ମଧ୍ୟ ଥିଲେ । ବିଜେପି ରାଜୁଙ୍କୁ ସୋରରୁ ଟିକେଟ ଦେଇଥିଲା । କିନ୍ତୁ ସୋରର ନେତା କର୍ମୀ ତାଙ୍କୁ ବିରୋଧ କରି ପ୍ରଚାର କରିବାକୁ ଦେଲେ ନାହିଁ । ବିଜେପି ମଧ୍ୟ ସବୁ ଦେଖି ଚୁପ ହୋଇ ରହିଲା । ନିଜକୁ କଣୋଠେସା ହେଉଥିବା ଭାବି ବିଜେପି ଛାଡ଼ିଲେ ରାଜୁ ଦାସ ।

ଏବେ ରାଜୁ ଦାସ ବିଜେଡିରେ । ବିଜେପି ବିରୋଧରେ ପ୍ରତିଶୋଧ ନେବେ ଏବଂ ବିଜେପି ଭୋଟ ମାଇନସ କରିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଯାହା ଧାମନଗର ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ କାଳ ହେବାକୁ ଯାଉଛି । ଉପନିର୍ବାଚନରେ ଯଦିଓ ସୂରଜ ୧୦ହଜାର ଭୋଟ ବ୍ୟବଧାନରେ ଜିତିଥିଲେ ଏଥର ଜିତିବା ଏତେ ସହଜ ହେବନାହିଁ । ରାଜୁ ଦାସଙ୍କ ପକେଟ ଭୋଟ ଏବେ ବିଜେଡି ସପକ୍ଷରେ ଯିବ ।

ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସଙ୍କ ସହ ମିଶି ସୂରଜଙ୍କୁ ହରାଇବା ରଣନୀତି ରାଜୁଙ୍କ ପାଖରେ ଥିବା କୁହାଯାଉଛି । ରାଜୁ ବିଜେଡିକୁ ଯିବା ପରେ ଚାନ୍ଦବାଲିରୁ ଲଢୁଥିବା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପାଇଁ କଣ୍ଟା ହୋଇପାରେ । ତେବେ କଣ ରହିବ ରାଜୁଙ୍କ ପ୍ଲାନ । ଧାମନଗର ଏବଂ ଚାନ୍ଦବାଲି କିଏ ହାତେଇବ ଗଡ଼ ତାହା ସମୟ କହିବ ।