ଭାରତର ମୂଲ୍ୟବୋଧ କୋଉଠି?

ବୈଦିକ ବିଚାରରେ ଆତ୍ମସତା ବା ଆତ୍ମନ୍‌ର କୌଣସି …

ବୈଦିକ ବିଚାରରେ ଆତ୍ମସତା ବା ଆତ୍ମନ୍‌ର କୌଣସି ସ୍ୱତନ୍ତ୍ର ସ୍ଥିତି ନ ଥାଏ, ତାହା ହେଉଛି ‘ବ୍ରହ୍ମନ୍‌’ର ଅଂଶ, ଯିଏ ହେଉଛି ଏକ ଏକକ ବିଶ୍ୱସତା। ‘ତତ୍‌ ତ୍ୱମ୍‌ ଅସି’। ଆତ୍ମନ୍‌ ହେଉଛି ବ୍ରହ୍ମନ୍‌, ବ୍ରହ୍ମନ୍‌ ହେଉଛି ଆତ୍ମନ୍‌। ଆମେ ଯାହାକୁ ଆମର ଏକାନ୍ତ ନିଜର ସତା ବୋଲି ବିଶ୍ୱାସ କରିଥାଉ, ତାହା ହେଉଛି କେବଳ ଏକ ମାୟା ବା ଭେଳିକି ମାତ୍ର। ମନୁଷ୍ୟ ସେତିକିବେଳେ ମୋକ୍ଷ ଲାଭ କରିଥାଏ, ଯେତେବେଳେ ସେ ନିଜର ସ୍ୱତନ୍ତ୍ର ସତା ସମ୍ବନ୍ଧରେ ଥିବା ଭ୍ରାନ୍ତ ଧାରଣାରେ ଅନ୍ତ ଘଟାଇ ବ୍ରହ୍ମନ୍‌ରେ ଲୀନ ହୋଇ ଯାଇଥାଏ। ଏଇ ସମୟରେ ବ୍ୟକ୍ତି ନିଜର ଆତ୍ମସତା ବା ଅସ୍ମିତାକୁ ସଂପୂର୍ଣ୍ଣ ରୂପେ ପରିତ୍ୟାଗ କରିଥାଏ। କିନ୍ତୁ ଏହା ମଧ୍ୟ ହେଉଛି ଏକ ଭେଳିକି, କାରଣ ମୂଳରୁ ଆତ୍ମସତା ବୋଲି କିଛି ନ ଥିବାରୁ, ବ୍ୟକ୍ତି ପରିତ୍ୟାଗ କରିବ କ’ଣ ବା କାହାକୁ?

ସମଗ୍ର ପାରମ୍ପରିକ ଭାରତୀୟ ଦର୍ଶନରେ ଏହି ଆତ୍ମସତାଶୂନ୍ୟତା ଚିନ୍ତାଧାରା ପ୍ରତିଫଳିତ ହୋଇଥିବା ବେଳେ କପିଳ ମୁନି ପ୍ରବର୍ତିତ ସାଂଖ୍ୟ ଦର୍ଶନରେ ଏହାର ଯେଉଁ ଚରମ ପରିପ୍ରକାଶ ଘଟିଥାଏ, ଏଇ ଉକ୍ତିଟି ତା’ର ସ୍ୱାକ୍ଷର ବହନ କରିଥାଏ: ‘ନାସ୍ମି ନ ମେ ନାହମ୍‌’। ଏଇ ଉକ୍ତିଟି ବହନ କରୁଥିବା ସତ୍ୟ ହେଉଛି: ‘ମୋର ଅସ୍ତିତ୍ୱ ନାହିଁ, କିଛି ବି ମୋର ନୁହେଁ, ମୁଁ କେହି ନୁହେଁ।’

ସନାତନ ହିନ୍ଦୁଧର୍ମର ଏଇ ଉପନିଷଦୀୟ ଦର୍ଶନ ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇ ଗେ?ତମ ବୁଦ୍ଧ ଯେଉଁ ଅନୁରୂପ ଧାରଣାର ସୃଷ୍ଟି ଓ ପ୍ରସାର ଘଟାଇଥିଲେ, ତାହା ମୂଳ ପାଲି ଭାଷାରେ ‘ଅନତା’ ରୂପେ ସୁପରିଚିତ, ସଂସ୍କୃତରେ ଯାହା ହେଉଛି ‘ଅନାତ୍ମନ୍‌’। ବୁଦ୍ଧ ତାଙ୍କର ଏକ ପ୍ରସିଦ୍ଧ ପ୍ରବଚନରେ ବର୍ଣ୍ଣନା କରିଥିବା ଏଇ ଅନାତ୍ମନ୍‌ ଧାରଣା ଅନୁସାରେ ‘ରୂପ’, ‘ବେଦନା’, ‘ସଂଜ୍ଞା’, ‘ସଂସ୍କାର’ ଓ ‘ବିଜ୍ଞାନ’ ଭଳି ପାଂଚଗୋଟି ‘ସ୍କନ୍ଧ’ମାନଙ୍କରେ ସମାହାର ହୋଇଥିବା ଜଣେ ମନୁଷ୍ୟର ଏଇ ସ୍କନ୍ଧମାନଙ୍କୁ ଅତିକ୍ରମ କରି ‘ଆତ୍ମସତା’ ବୋଲି କିଛି ନ ଥାଏ।

ଏଇ ଧାରଣାକୁ ପ୍ରାଞ୍ଜଳ ଭାବରେ ବୁଝାଇ ଦିଆଯାଇଛି ପ୍ରସିଦ୍ଧ ବୌଦ୍ଧଗ୍ରନ୍ଥ ‘ମିଳିନ୍ଦପହ୍ନ’ (‘ମିଳିନ୍ଦପ୍ରଶ୍ନ’)ରେ, ଯେଉଁଥିରେ ଭିକ୍ଷୁ ନାଗସେନ ଯବନ ରାଜା ମିଳିନ୍ଦ (ଗ୍ରୀକ୍‌ ନାମ- ମିନାଣ୍ଡର୍‌)ଙ୍କୁ ଏକ ରଥର ଉଦାହରଣ ସାହାଯ୍ୟରେ ‘ଅନତା’ର ମର୍ମ ବୁଝାଇଛନ୍ତି। ନାଗସେନ କହିଛନ୍ତି ଯେଉଁଭଳି ବିଭିନ୍ନ ଅଂଶ (ଚକ, ଅଖ, ବାହୁ, ଶିଖର…)ମାନଙ୍କର ସମଷ୍ଟିରେ ନିର୍ମିତ ରଥର ଏଇ ଅଂଶମାନଙ୍କର ସମଷ୍ଟି ବ୍ୟତୀତ ଅନ୍ୟ କୌଣସି ସତା ନ ଥାଏ, ଜଣେ ମନୁଷ୍ୟର ଉପରୋକ୍ତ ସ୍କନ୍ଧମାନଙ୍କର ସମଷ୍ଟି ବ୍ୟତୀତ ଅନ୍ୟ କୌଣସି ଆତ୍ମସତା ନ ଥାଏ। ଉପରେ ପ୍ରଦତ ବର୍ଣ୍ଣନାମାନଙ୍କରୁ ଯାହା ସ୍ପଷ୍ଟ ହୋଇଥାଏ, ତାହା ହେଲା, ଭାରତୀୟ ଦର୍ଶନରେ ବ୍ୟକ୍ତିର କୌଣସି ଆତ୍ମସତାର ଉପସ୍ଥିତିକୁ ସ୍ୱୀକାର କରାଯାଇ ନାହିଁ। ତେଣୁ ଏଥିରୁ ସ୍ୱାଭାବିକ ଭାବରେ ଯେଉଁ ଏକ ସିଦ୍ଧାନ୍ତ ଆହରଣ କରାଯାଇ ପାରିବ, ତାହା ହେଲା, ଭାରତୀୟ ଦର୍ଶନରେ ଆତ୍ମସ୍ୱାର୍ଥର ସ୍ଥାନ ନାହିଁ, କାରଣ, ଯାହାର ସତା ନ ଥାଏ, ତାହାର ସ୍ୱାର୍ଥ ଆସିବ କେଉଁଆଡୁ?

ସାଧାରଣତଃ ଏକ ଭ୍ରମାତ୍ମକ ଧାରଣା ବଳବତର ଥିବା ଦେଖାଯାଇଥାଏ ଯେ ଏଭଳି ଦାର୍ଶନିକ ବିଚାରମାନ କେବଳ ଶାସ୍ତ୍ରପୁରାଣ ମଧ୍ୟରେ ଆବଦ୍ଧ ହୋଇ ରହିଥାଏ, ଯାହାର ଦୈନନ୍ଦିନ ଜୀବନଯାପନ ସହିତ କୌଣସି ସଂପର୍କ ନ ଥାଏ। କିନ୍ତୁ ବାସ୍ତବରେ ଉଭୟଙ୍କ ମଧ୍ୟରେ ସଂପର୍କ ହେଉଛି ଘନିଷ୍ଠ। ଏକ ସଂସ୍କୃତି ତା’ର ଦାର୍ଶନିକମାନଙ୍କର ଚିନ୍ତାଧାରା ଦ୍ୱାରା ପ୍ରଭାବିତ ଓ ପରିପୁଷ୍ଟ ହୋଇ ରୂପ ପରିଗ୍ରହଣ କରିଥାଏ। ଊନବିଂଶ-ବିଂଶ ଶତାବ୍ଦୀର ପ୍ରସିଦ୍ଧ ଅଷ୍ଟ୍ରୀୟ-ଜର୍ମାନ୍‌ ଗଣିତଜ୍ଞ-ଦାର୍ଶନିକ ଏଡମଣ୍ଡ୍‌ ହୁସର୍ଲ ପ୍ରଥମେ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବା ପରେ ମରିସ୍‌ ମର୍ଲ୍ୟୁପଂଟି ଓ ସିମନ୍‌ ଡି ବିଭ୍ୱା ଆଦିଙ୍କ ଭଳି ଖ୍ୟାତନାମା ଫରାସୀ ଦାର୍ଶନିକମାନେ ବିସ୍ତୃତ ଆଲୋଚନା କରିଥିବା ଏହି ପ୍ରକ୍ରିୟାକୁ ଅଧଃକ୍ଷେପଣ (ସେଡିମେଂଟେସନ୍‌) ରୂପେ ନାମିତ କରାଯାଇଥାଏ।

ଏହା ଅନୁସାରେ ସଂସ୍କୃତିର ଭିତି ହେଉଛି ଏକ ପ୍ରବହମାନ ସ୍ରୋତର ଶଯ୍ୟା ଭଳି। ଏକ ନଦୀର ସ୍ରୋତରେ ଭାସମାନ ପଦାର୍ଥମାନଙ୍କର ଅଧଃକ୍ଷେପଣ ଘଟି ଚାଲି ତା’ର ଶଯ୍ୟା ନିର୍ମିତ ଓ ଦୃଢ଼ୀଭୂତ ହୋଇଥିବା ଭଳି ଏକ ପ୍ରବହମାନ ସଂସ୍କୃତିରେ ତା’ର ଦାର୍ଶନିକମାନଙ୍କର ଚିନ୍ତାଧାରା ସବୁର ଅଧଃକ୍ଷେପଣ ଘଟି ତା’ର ମୂଳଭିତି ସଦୃଶ ଶଯ୍ୟା ନିର୍ମିତ ହୋଇଥାଏ। ଏଇ ମୂଳଭିତି ଉପରେ ହିଁ ସେଇ ସଂସ୍କୃତିରେ ଅନୁସୃତ ମୂଲ୍ୟବୋଧ, ବିଶ୍ୱାସ ଆଦି ପ୍ରତିଷ୍ଠିତ ହୋଇଥାଏ। ପାରମ୍ପରିକ ଭାରତୀୟ ଦର୍ଶନରେ ଯେହେତୁ ଆତ୍ମସ୍ୱାର୍ଥକୁ ତୁଚ୍ଛ କରାଯାଇଥାଏ, ପାରମ୍ପରିକ ଭାରତୀୟ ମୂଲ୍ୟବୋଧରେ ମଧ୍ୟ ତେଣୁ ତାହା ପ୍ରତିଫଳିତ ହୋଇ ଆସିଥିଲା। ସେଇ କାରଣରୁ ସର୍ବଦା କୁହାଯାଇଥିବା ଭଳି ପ୍ରାଚୀନ କାଳରୁ ଭାରତ ଅତୁଳନୀୟ ଆଧ୍ୟାତ୍ମିକ ପ୍ରଗତି ହାସଲ କରିଥିବା ବେଳେ ବସ୍ତୁବାଦୀ ପ୍ରଗତି ପ୍ରତି ସର୍ବଦା ଉଦାସୀନ ରହି ଆସିଥିଲା। କାରଣ ବସ୍ତୁବାଦୀ ପ୍ରଗତି ବା ବିତାଶ୍ରୟୀ ପ୍ରଗତି ହେଉଛି ଆତ୍ମସ୍ୱାର୍ଥଭିତିକ ପ୍ରଗତି। ଆତ୍ମସତାକୁ ସ୍ୱୀକାର କରୁ ନ ଥିବା ଏକ ସଂସ୍କୃତି ଆତ୍ମସ୍ୱାର୍ଥକୁ ଅନୁଧାବନ କରନ୍ତା କିପରି?
ଏହା ତେଣୁ ଏକ ଆମୋଦ ମିଶା ଆଶ୍ଚର୍ଯ୍ୟ ସୃଷ୍ଟି କରିଥାଏ ସେଇ ଭାରତର ସନ୍ତାନମାନେ ଏବେ ଗର୍ବ କରୁଛନ୍ତି ଯେ ସେମାନଙ୍କର ଦେଶ ବର୍ତମାନ ସେଇ ବିତାଶ୍ରୟୀ ପ୍ରଗତି ହାସଲ ଦୌଡରେ ଦ୍ରୁତତମ ଧାବକ ସାଜି ପୃଥିବୀର ଚତୁର୍ଥ ବୃହତମ ଅର୍ଥନୀତିରେ ପରିଣତ ହୋଇ ସାରିଲାଣି ଓ ଅନତି ବିଳମ୍ବେ ଏକ ବିକଶିତ ଦେଶରେ ପରିଣତ ହେବାକୁ ଲକ୍ଷ୍ୟ ରଖିଛି। ଉଲ୍ଲେଖ ଅନାବଶ୍ୟକ, ଏଇ ବିକାଶ ଅବଶ୍ୟ ଆଧ୍ୟାତ୍ମିକ ବିକାଶ ନୁହେଁ, ଏହା ହେଉଛି ପାର୍ଥିବ ସଂପଦ ଆକାରରେ ବିକାଶ, ଯେଉଁଥିରେ ପ୍ରତ୍ୟେକ ବ୍ୟକ୍ତିର ସଂପଦରେ ବୃଦ୍ଧି ଘଟିବା ସହିତ ସମଗ୍ର ଦେଶର ସଂପଦରେ ମଧ୍ୟ ବୃଦ୍ଧି ସାଧିତ ହେବ। ଆଉ ଏଇ ବିକାଶ ହାସଲ କରିବା ପାଇଁ ଯେଉଁ ପନ୍ଥା ଅବଲମ୍ବନ କରାଯାଉଛି, ତାହା ହେଉଛି ଭାରତୀୟ ଦର୍ଶନ ପ୍ରଦର୍ଶିତ ଉପରୋକ୍ତ ଆତ୍ମସ୍ୱାର୍ଥ-ନାକଚକାରୀ ମାର୍ଗର ସଂପୂର୍ଣ୍ଣ ବିପରୀତ: ସର୍ବାଧିକ ସମ୍ଭବ ଆତ୍ମସ୍ୱାର୍ଥ ଅନୁଧାବନ ଦ୍ୱାରା ଉଭୟ ବ୍ୟକ୍ତି ଓ ରାଷ୍ଟ୍ରର ସର୍ବାଧିକ ସମୃଦ୍ଧି ସାଧନ।

ସାଧାରଣତଃ ଆତ୍ମସ୍ୱାର୍ଥ ଓ ସମୂହସ୍ୱାର୍ଥକୁ ପରସ୍ପରର ପରିପନ୍ଥୀ ବୋଲି ବିଚାର କରାଯାଉ ଥିବାରୁ ଏହା ଏକ ଉଦ୍ଭଟ ବା ଅସଂଗତ ପନ୍ଥା ଭଳି ମନେ ହୋଇପାରେ। କିନ୍ତୁ ସତ କଥା ହେଲା ଆଜି କେବଳ ଭାରତ ନୁହେଁ, ପୃଥିବୀର ଯେଉଁ ବି ଦେଶରେ ଅର୍ଥନୈତିକ ଅଭିବୃଦ୍ଧି ହାସଲ ହୋଇପାରିଛି, ତାହା ଏଇ ଆତ୍ମସ୍ୱାର୍ଥ-ଅନୁଧାବନ ମାର୍ଗ ଅନୁସରଣ ଦ୍ୱାରା ହିଁ ସମ୍ଭବ ହୋଇଛି।

ଆଜିକୁ ଠିକ୍‌ ଅଢେ଼ଇ ଶହ ବର୍ଷ ତଳେ ଯେଉଁ ଜଣେ ଦାର୍ଶନିକ ସର୍ବପ୍ରଥମେ ଏଇ ଅସମ୍ଭବ ମନେ ହେଉଥିବା ଯାଦୁକରୀ ମାର୍ଗର ପରିକଳ୍ପନା କରିଥିଲେ, ସେ ସ୍ୱାଭାବିକ ଭାବରେ କୌଣସି ଭାରତୀୟ ଦାର୍ଶନିକ ନ ଥିଲେ, ସେ ହେଲେ ସ୍କଟିସ୍‌ ଦାର୍ଶନିକ ଆଡାମ୍‌ ସ୍ମିଥ୍‌। ୧୭୭୬ରେ ପ୍ରକାଶିତ ଅର୍ଥଶାସ୍ତ୍ରର ସର୍ବପ୍ରଥମ ବିଧିବଦ୍ଧ ପୁସ୍ତକ ରୂପେ ବିବେଚିତ ତାଙ୍କର ପୁସ୍ତକ ‘ଆନ୍‌ ଇନ୍‌କ୍ୱାରି ଇନ୍‌ଟୁ ଦି ନେଚର୍‌ ଆଣ୍ଡ୍‌ କଜେସ୍‌ ଅଫ୍‌ ଦି ୱେଲ୍‌ଥ ଅଫ୍‌ ନେସନ୍‌ସ’ (‘ରାଷ୍ଟ୍ରମାନଙ୍କର ସଂପଦର ଚରିତ୍ର ଓ କାରଣମାନ ସମ୍ବନ୍ଧରେ ଏକ ଅନୁସନ୍ଧାନ’) ବା ସଂକ୍ଷେପରେ ‘ଦି ୱେଲ୍‌ଥ ଅଫ୍‌ ନେସନ୍‌ସ’ରେ ସ୍ମିଥ୍‌ ସର୍ବପ୍ରଥମେ ଦର୍ଶାଇଥିଲେ ଯେ ଏକ ଅବାଧ ବଜାର ଅର୍ଥନୀତିର ପରିକଳ୍ପନା କରାଯାଇ ପାରିବ, ଯେଉଁଥିରେ ଯେତେବେଳେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ଆତ୍ମସ୍ୱାର୍ଥ ଅନୁଧାବନ କରିଥାଏ, ସେତେବେଳେ ସମଗ୍ର ସମାଜର ସମୂହ ସ୍ୱାର୍ଥ ମଧ୍ୟ ସାଧିତ ହୋଇଥାଏ।
ସ୍ୱାର୍ଥାନ୍ୱେଷୀ ବ୍ୟକ୍ତିମାନଙ୍କର ଆଚରଣକୁ ସାମାଜିକ ହିତ ସାଧନ ଉଦ୍ଦେଶ୍ୟରେ ନିୟନ୍ତ୍ରଣ କରିବା ନିମିତ କୌଣସି କେନ୍ଦ୍ରୀୟ ଯୋଜନା କିମ୍ବା ସାମାଜିକ ଶୃଙ୍ଖଳାର ଅନୁପସ୍ଥିତିରେ କେଉଁ ଅଦୃଶ୍ୟ ଶକ୍ତି ଦ୍ୱାରା ଏଇ ଅସମ୍ଭବ ସମ୍ଭବ ହୋଇଥାଏ? ଏଇ ଶକ୍ତିର ନାମକରଣ କରିବା ପାଇଁ ସ୍ମିଥ୍‌ ଯାହାର ସାହାଯ୍ୟ ନେଇଥିଲେ, ତାହା ଅର୍ଥଶାସ୍ତ୍ର ନୁହେଁ, ତାହା ଥିଲା- ସାହିତ୍ୟ। ଏଥିରେ ମଧ୍ୟ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ; କାରଣ ସ୍ମିଥ୍‌ ତାଙ୍କର ସେଇ ପୁସ୍ତକ ରଚନା କରିବା ସମୟରେ ଅର୍ଥଶାସ୍ତ୍ର ବୋଲି କୌଣସି ଶାସ୍ତ୍ରର ଆବିର୍ଭାବ ଘଟି ନ ଥିଲା ଓ ସେ ନିଜକୁ ଜଣେ ନୀତିଶାସ୍ତ୍ରୀୟ ଦାର୍ଶନିକ ତଥା ସାହିତ୍ୟିକ ବିଦ୍ୱାନ ରୂପେ ଦେଖୁଥିଲେ। ସେ ଇଂରେଜୀ ସାହିତ୍ୟର ଆନୁଷ୍ଠାନିକ ଅଧ୍ୟୟନ ଆରମ୍ଭ କରାଯିବାରେ ଏକ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହିତ ଲିଖନ କଳା ଓ ବାକ୍‌ପଟୁତା (ରେଟରିକ୍‌) ଆଦି ବିଷୟରେ ମଧ୍ୟ ଶିକ୍ଷାଦାନ କରୁଥିଲେ।