ପିଲାଟିଏ ପାଇଁ ଭାଗ୍ୟକୁ ଦାୟୀ କଲେ ଅଭିନେତା ଅନୁପମ ଖେର

‘ପରିବାର ତୁଳନାରେ କ୍ୟାରିୟରକୁ ଅଧିକ ସମୟ ଦେଲି । ପତ୍ନୀ କିରନର ଶାରିରୀକ ସମସ୍ୟା ଦୂର କରିବା ପାଇଁ ମୋ ପାଖରେ ଆଦୌ ସମୟ ନଥିଲା । କିରନ ମା’ ହେବାର କ୍ଷମତା ହରାଇ ସାରିଥିଲେ । ଥରକୁ ଥର ଗର୍ଭନଷ୍ଟ ହେବାରୁ ନିୟତିର ନିଷ୍ପତିକୁ ମାନିନେବା ଛଡ଼ା ମୋ ପାଖରେ ଅନ୍ୟ ରାସ୍ତା ନଥିଲା ।’
୬୦ ବର୍ଷ ଅତିକ୍ରମ କରି ସାରିଥିବା ଅଭିନେତା ଅନୁପମ ଖେର ଏକ କାର୍ଯ୍ୟକ୍ରମରେ ଯୋଗଦାନ କରି ତାଙ୍କ ଛାତିତଳର ବ୍ୟଥାକୁ ସମସ୍ତଙ୍କ ଆଗରେ ଉପସ୍ଥାପନ କରିଛନ୍ତି । ପିଲାଟିଏ ପାଇବାର ଆଶା ଆଉ ତାଙ୍କର ନାହିଁ ।

ଚଳଚ୍ଚିତ୍ର ଦୁନିଆରେ ତିଷ୍ଠିବା ପାଇଁ ଅନୁପମ ଓ କିରନ ସଂଘର୍ଷ କରୁଥିବା ସମୟରେ ଦୁହିଁଙ୍କ ସାକ୍ଷାତ ଆକସ୍ମିକ ଥିଲା । ବେଶ କିଛିଦିନର ମିଳାମିଶା ପରେ ଦୁହେଁ ଦୁହିଁଙ୍କୁ ଜୀବନସାଥୀ ରୂପେ ବାଛିନେଲେ ।ପ୍ରଥମ ସ୍ୱାମୀଙ୍କ ଆଡୁ କିରନଙ୍କର ଗୋଟିଏ ପୁଅ ଅଛି । ଅନୁପମ କିରନଙ୍କୁ ବିବାହ କରିବା ସମୟରେ କିରନଙ୍କ ପୁଅ ସିକନ୍ଦରକୁ ଚାରିବର୍ଷ ହୋଇଥିଲା । କିରନଙ୍କ ପୁଅକୁ ଅନୁପମ ହୃଦୟର ସହିତ ଗ୍ରହଣ କରି ନେଇଛନ୍ତି ।

ଅନୁପମ କହନ୍ତି ଯେ ସେ ପିଲାଙ୍କୁ ଭାରି ଭଲ ପାଆନ୍ତି । ତାଙ୍କ ଔରସରୁ ପିଲାଟିଏ ନାହିଁ ମାତ୍ର ସେ ପ୍ରତିଷ୍ଠା କରିଥିବା ସ୍ୱେଚ୍ଛାସେବୀ ସଂଗଠନ ବହୁତ ପୁଅଝିଅଙ୍କ ମୁହଁରେ ହସ ଫୁଟାଇ ପାରିଛି ।