ହସାଇ ହସାଇ ଚାଲିଗଲେ ଅଭିନେତା ସତୀଶ କୌଶିକ
ଦିଲ୍ଲୀର ଏକ ବ୍ରାହ୍ମଣ ପରିବାରରେ ସତୀଶଙ୍କର..
ମୁମ୍ବାଇ: ଚଳଚ୍ଚିତ୍ର ଦୁନିଆକୁ ଅଲବିଦା କରି ଚାଲି ଯାଇଛନ୍ତି ସତୀଶ କୌଶିକ । ତାଙ୍କ ଆକସ୍ମିକ ମୃତ୍ୟୁ ଚଳଚ୍ଚିତ୍ର ଜଗତକୁ ସ୍ତମ୍ଭୀଭୂତ କରିଛି । ସତୀଶଙ୍କ ଭିଟାମାଟି ହରିଆଣାର ମହେନ୍ଦ୍ରଗଡ଼ ଜିଲ୍ଲାର ଧନୌଦା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସତୀଶଙ୍କ ପୈତୃକ ଗ୍ରାମ ଧନୌଦା ହୋଇଥିଲେ ମଧ୍ୟ ୧୯୫୬ ଏପ୍ରିଲ ୧୩ ତାରିଖରେ ଦିଲ୍ଲୀର ଏକ ବ୍ରାହ୍ମଣ ପରିବାରରେ ତାଙ୍କର ଜନ୍ମ । ବୁଧବାର ବିଳମ୍ବିତ ରାତିରେ ଗୁରଗାଓଁ ସ୍ଥିତ ଫର୍ଟିସ ହସ୍ପିଟାଲରେ ସେ ପରଲୋକ ଗମନ କରିଥିଲେ । ଇତିମଧ୍ୟରେ ଚାର୍ଟାର୍ଡ ବିମାନ ଜରିଆରେ ତାଙ୍କର ମରଶରୀର ମୁମ୍ବାଇ ପହଂଚିଛି । ବଲିଉଡ୍ର ବହୁ ଜଣାଶୁଣା ଅଭିନେତା, ଅଭିନେତ୍ରୀ, ନିର୍ଦ୍ଦେଶକ, ପ୍ରଯୋଜକମାନେ ତାଙ୍କର ଅନ୍ତିମ ଦର୍ଶନ କରିଛନ୍ତି ।
ସହରରେ ଜନ୍ମିତ ସତୀଶଙ୍କର ଗାଁ ପ୍ରତି ଥିଲା ଅହେତୁକ ମମତା । ସାମାନ୍ୟ ଛୁଟି ପାଇଲେ, ସେ ଛୁଟି ଯାଉଥିଲେ ଧନୌଦାକୁ । ଖରାଦିନ ଛୁଟି ଆସିଲେ ସତୀଶ ଚାଲିଯାନ୍ତି ଗାଁକୁ । ଗ୍ରାମବାସୀଙ୍କୁ ସତୀଶ ବହୁତ ଭଲ ପାଉଥିଲେ । ଚଳଚ୍ଚିତ୍ର ଦୁନିଆରେ ବ୍ୟସ୍ତ ରହୁଥିଲେ ମଧ୍ୟ ପ୍ରତିବର୍ଷ ଗାଁକୁ ଯାଇ ବାର୍ଷିକ ଧାର୍ମିକ ମହୋତ୍ସବରେ ଯୋଗଦାନ କରନ୍ତି ସବୁରି ପ୍ରିୟ ସତୀଶ ।
ଗ୍ରାମର ପ୍ରତି ପରିବାର ପାଇଁ ସେ ଥିଲେ ଆପଦ ବିପଦର ସାଥୀ । ଗ୍ରାମର ବହୁ ଲୋକ ତାଙ୍କଠାରୁ ସାହାଯ୍ୟ ସହଯୋଗ ପାଇଛନ୍ତି । ସଂକ୍ଷେପରେ କହିଲେ, ତାଙ୍କ ଅଭିନୀତ ଚଳଚ୍ଚିତ୍ରର ଚରିତ୍ର ଓ ତାଙ୍କର ବାସ୍ତବ ଜୀବନ ପ୍ରାୟ ସମାନ ଥିଲା ।
କୌତୁକିଆ କଥା କହି ସାଙ୍ଗସାଥିଙ୍କୁ ହସାଉଥିଲେ । ସମସ୍ତଙ୍କୁ ହସାଉ ହସାଉ ବିଚରା ସବୁଦିନ ପାଇଁ ଚୁପ ହୋଇଗଲେ ସତୀଶ । ଗ୍ରାମର ବିକାଶ ପାଇଁ ତାଙ୍କ ପ୍ରାଣ କାନ୍ଦି ଉଠୁଥିଲା । ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡ୍ଡାଙ୍କ ଦୃଷ୍ଟି ଆକର୍ଷଣ କରି ସେ ଗ୍ରାମର ବିକାଶ ପାଇଁ କୋଟିଏ ଟଙ୍କାର ଅନୁଦାନ ମଞ୍ଜୁର କରାଇଥିଲେ । ଗ୍ରାମର ସାମୁହିକ କାମରେ ତାଙ୍କର ଯୋଗଦାନ ସର୍ବଦା ସ୍ମରଣୀୟ ରହିବ ।