ବେଡ଼ି ଉପରେ କୋରଡ଼ା: ସିସୋଦିୟାଙ୍କୁ ଗିରଫ କଲା ଇଡି

ସିବିଆଇକୁ ପ୍ରମାଣ..

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟାଙ୍କ ଅଡୁଆ ବୃଦ୍ଧି ପାଉଛି । ଅର୍ଥ ତୋଷରପାତ ଅଭିଯୋଗରେ ଗୁରୁବାର ପ୍ରାୟ ୮ ଘଂଟା ଜେରା କରିବା ପରେ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ଗିରଫ କରିଛି । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସଂକ୍ରାନ୍ତରେ କେତେ ଅର୍ଥ ତୋଷରପାତ କରାଯାଇଛି, ତା’ର ଖୋଳତାଡ଼ କରୁଛି ଇଡି । ସେହି ଉପକ୍ରମରେ ଇଡି ତିହାର ଜେଲରେ ପହଂଚି ସିସୋଦିୟାଙ୍କୁ ପଚରା ଉଚରା କରୁଥିଲା ।

ସୂଚନା ମୁତାବକ ବିଗତ ଦୁଇଦିନ ଧରି ଇଡି ଜେଲକୁ ଯାଇ ସିସୋଦିୟାଙ୍କୁ ଜେରା କରୁଥିଲା । ମାର୍ଚ୍ଚ ୭ ତାରିଖ ଦିନ ପ୍ରାୟ ୬ ଘଂଟା ଧରି ସିସୋଦିୟାଙ୍କୁ ଜେରା କରିଥିଲା ଇଡି । ପୁନର୍ବାର ମାର୍ଚ୍ଚ ୯ ତାରିଖ ଦିନ ଦୁଇ ଘଂଟା ଧରି ଜେରା କରିବା ଭିତରେ ସନ୍ତୋଷଜନକ ଜବାବ ନପାଇବାରୁ ବାଧ୍ୟ ହୋଇ ସିସୋଦିୟାଙ୍କୁ ଗିରଫ କରିଥିଲା ଇଡି । ଇତିମଧ୍ୟରେ ବିଜେପି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କଡ଼ା ସମାଲୋଚନା କରିଛି।

ସିସୋଦିୟାଙ୍କୁ ଜେରା କରିବା ପାଇଁ ଇଡି କୋର୍ଟଙ୍କଠାରୁ ଅନୁମତି ଲୋଡ଼ିଥିଲା । କୋର୍ଟ ଇଡି ଆବେଦନର ବିଚାର କରି ସିସୋଦିୟାଙ୍କୁ ସର୍ବନିମ୍ନ ତିନିଦିନ ପାଇଁ ଜେରା କରିବାକୁ ଅନୁମତି ଦେଇଥିଲା । ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍‌ କରିଛନ୍ତି-ମନିଷଙ୍କୁ ପ୍ରଥମେ ସିବିଆଇ ଗିରଫ କଲା । ସିବିଆଇକୁ କୌଣସି ପ୍ରମାଣ ମିଳିଲାନି ।

ସେହିପରି ଆଜି ମନିଷଙ୍କ ଜାମିନ ଆବେଦନର ବିଚାର ଅଛି । ଗତକାଲି ମନିଷ ଜାମିନ ବଳରେ ଜେଲରୁ ମୁକୁଳି ଯାଇଥାନ୍ତେ । କିନ୍ତୁ ଆଜି ଇଡି ତାଙ୍କୁ ଗିରଫ କରିଚି । ଦୈନିକ ନୂଆ ନୂଆ ମାମଲା ରୁଜୁ କରି ମନିଷଙ୍କୁ ଗିରଫ କରାଯାଉଛି । ଲୋକମାନେ ସବୁ ଦେଖୁଛନ୍ତି; ସେଇମାନେ ଉଚିତ ବିଚାର କରିବେ ।