ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ରାଜ୍ୟର ୫ଟି ଜିଲ୍ଲାର କେତେକ ଅଞ୍ଚଳରେ ଆସନ୍ତା ୨୪ ଘଣ୍ଟା ….

ଭୁବନେଶ୍ୱର: ରାଜ୍ୟର ୫ଟି ଜିଲ୍ଲାର କେତେକ ଅଞ୍ଚଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡିକ ହେଉଛି ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୁରଭଂଜ ଓ ବାଲେଶ୍ୱର । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅପରପକ୍ଷରେ ପଶ୍ଚିମା ଝଡ଼ ପ୍ରଭାବରେ ଉପକୂଳ ସମେତ ପାର୍ଶ୍ୱବର୍ତୀ ଅଂଚଳରେ ଆକାଶ ଆଂଶିକ ମେଘାଛନ୍ନ ରହିଛି ।

ସେହିଭଳି ଗତ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ବୌଦ୍ଧରେ ୩୬.୮ ଡ଼ିଗ୍ରୀ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ନବରଙ୍ଗପୁରରେ ୧୬.୮ ଡ଼ିଗ୍ରୀ ରେକର୍ଡ଼ କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୬.୭ ଡ଼ିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୨୧ ଡ଼ିଗ୍ରୀ ରେକର୍ଡ଼ ହୋଇଛି । କଟକରେ ସର୍ବୋଚ୍ଚ ତାପମାତ୍ରା ୩୫.୨ ଡ଼ିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୨୧ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟୁଇଟ୍‍ରୁ ଏହି ସୂଚନା ମିଳିଛି ।