ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ପ୍ରଶଂସକଙ୍କ ସଂଖ୍ୟା ଆଜି ମଧ୍ୟ କମିନାହାନ୍ତି । ବିବାହ ପରେ ଅଭିନୟ ଜଗତରୁ ଏକପ୍ରକାର ଦୂରେଇ ଯାଇଛନ୍ତି । କିନ୍ତୁ ସମୟ ସୁଅରେ ଭାସି ଯାଉଥିବା ବେଳେ ଭିଡ ଭିତରେ ତାଙ୍କର ଆକସ୍ମିକ ଆବିର୍ଭାବ ଟ୍ରାଫିକ୍ ଜାମ କରିବାକୁ ଯଥେଷ୍ଟ ।
ଜାଣିଲେ ଆଶ୍ଚର୍ଯ୍ୟ ହେବେ, ମାୟା ଦୁନିଆର ଶିଖରରେ ପହଂଚିବା ପାଇଁ ସୁନ୍ଦରୀ ଐଶ୍ୱର୍ଯ୍ୟାକୁ କଠିନ ପରିଶ୍ରମ କରିବାକୁ ପଡ଼ିଛି । ରାତାରାତି ଷ୍ଟାର ହେବା ତାଙ୍କ ଭାଗ୍ୟରେ ଜୁଟି ନଥିଲା । ମାୟା ଦୁନିଆକୁ ଦଖଲ କରିବା ପୂର୍ବରୁ ଐଶ୍ୱର୍ଯ୍ୟା ମଡେଲିଂରୁ କ୍ୟାରିୟର ଆରମ୍ଭ କରିଥିଲେ ।
୧୯୯୨ ମେ’ ୨୩ ତାରିଖରେ ମାତ୍ର ୧୫୦୦ ଟଙ୍କା ବିନିମୟରେ ସେ ଗୋଟିଏ ମାଗାଜିନ ପାଇଁ ଫଟୋସୁଟ୍ କରିଥିଲେ । ସେତେବେଳେ ତାଙ୍କୁ ମାତ୍ର ୧୮ ବର୍ଷ ବୟସ ହୋଇଥିଲା । ୧୯୯୦ ଦଶକରେ ୧୫ହହ ଟଙ୍କାର ବଜାର ମୂଲ୍ୟ ଯଥେଷ୍ଟ ଥିଲା । ସେତେବେଳେ ତାଙ୍କ ବାପାଙ୍କ ମାସିକ ରୋଜଗାର ମାତ୍ର ୮ ହଜାର ଥିଲା । ବାପାଙ୍କ ୮ ହଜାର ଟଙ୍କାରେ ୫ ଜଣିଆ ପରିବାର ଆରାମରେ ଚଳି ଯାଉଥିଲା ।
ଯୋଉ ସମୟରେ ସୋନାଲି ବେନ୍ଦ୍ରେ, ନିକି ଆନେଜା, ତେଜସ୍ୱିନୀ କୋହ୍ଲାପୁରିଙ୍କ ଭଳି ଉଦୀୟମାନ ଅଭିନେତ୍ରୀ ମାୟା ଦୁନିଆକୁ କବଳିତ କରି ରଖିଥିଲେ, ସେତେବେଳେ ଐଶ୍ୱର୍ଯ୍ୟାଙ୍କୁ କେହି ଚିହ୍ନି ନଥିଲେ । ୧୯୯୪ ମସିହାରେ ଐଶ୍ୱର୍ଯ୍ୟା ରାୟ ମିସ୍ ୱାର୍ଲଡ ଟାଇଟଲ ଜିତିଲେ । ଆନ୍ତର୍ଜାତିକ ସ୍ତରରେ ଖ୍ୟାତିଲାଭ କରିବା ପରେ ତାଙ୍କ ପଛରେ ପଡ଼ିଗଲା ମାୟା ଜଗତ । ‘ଔର ପ୍ୟାର ହୋ ଗୟା’ ଜରିଆରେ ବଲିଉଡ୍ରେ ପାଦ ଥାପିଲେ ଐଶ୍ୱର୍ଯ୍ୟା । ଅଭିନୟ ଜଗତରେ ତାଙ୍କର ନାଚ ଗୀତ ସଂଳାପ ପରିବେଷଣକୁ ଯିଏ ଦେଖିଛି, ସେ ପ୍ରଶଂସା କରିଛି ।
ନିକଟରେ ୨୦୨୫ କ୍ୟାନ୍ସ ଫିଲ୍ମ ଫେଷ୍ଟିଭାଲରେ ତାଙ୍କୁ ଦେଖିବାକୁ ମିଳିଥିଲା । ସ୍ୱାମୀ ଅଭିଷେକ ବଚ୍ଚନ, ଝିଅ ଆରାଧ୍ୟାଙ୍କ ସହିତ ତାଙ୍କୁ ଦେଖିବାକୁ ମିଳୁଛି । ଚୁଲବୁଲି ଐଶ୍ୱର୍ଯ୍ୟା ଏବେ ଚୁପଚାପ୍ । କାହା ବିରୋଧରେ କିଛି ଅଭିଯୋଗ କରିବାକୁ ସେ ଭଲ ପାଆନ୍ତିନି । ସବୁ କିଛି ଭାଗ୍ୟ ଉପରେ ଛାଡ଼ି ଦେଇଛନ୍ତି ଐଶ୍ୱର୍ଯ୍ୟା । ସୁପରଷ୍ଟାର ଅମିତାଭଙ୍କ ବୋହୂ ପରିଚୟ ପାଇବା ତାଙ୍କ ପକ୍ଷେ ଉଚିତ ହୋଇଛି କି?