ଶୁକ୍ରବାର ଏନ୍‌ସିବିରେ ହାଜର ହେବେ ଅର୍ଜୁନ ରାମପାଲ

ମୁମ୍ବାଇ: ଜଟିଳ ହେବାରେ ଲାଗିଛି ବଲିଉଡ ଡ୍ରଗ୍ସ ଲିଙ୍କ ମାମଲା । ବଲିଉଡ ଅଭିନେତା ଅର୍ଜୁନ ରାମପାଲ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋରେ ଶୁକ୍ରବାର ଦିନ ହାଜର ହେବାକୁ କୁହାଯାଇଛି । ବଲିଉଡ ଓ ଡ୍ରଗ୍ସ ଲିଙ୍କର ତଦନ୍ତ କରୁଥିବା ଏନସିବି ସୋମବାର ଅର୍ଜୁନ ରାମପାଲଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଓ ଅଫିସରେ ରେଡ୍ କରିବା ପରେ ତାଙ୍କ ଡ୍ରାଇଭରକୁ ଗିରଫ କରିଥିଲା।

ଅନ୍ୟପଟେ ଅର୍ଜୁନଙ୍କ ଲିଭ୍‌ଇନ୍ ପାର୍ଟନର ତଥା ଗର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡଙ୍କୁ ଏନସିବି ଦ୍ୱିତୀୟ ଥର ପଚରାଉଚରା ପାଇଁ ଡାକିଛି। ଏ ନେଇ ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡ଼େ ସୂଚନା ଦେଇଛନ୍ତି। ସେ କହିଛନ୍ତି କହିଛନ୍ତି, “ତଦନ୍ତ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ପୁନର୍ବାର ଗାବ୍ରିଏଲାଙ୍କୁ ଡକାଯାଇଛି। ଆମେ ବର୍ତ୍ତମାନ ଅର୍ଜୁନ ରାମପାଲଙ୍କୁ ଶୁକ୍ରବାର ଦିନ ଏନସିବିରେ ହାଜର ହେବାକୁ କହିଛୁ।” ଏହା ପୂର୍ବରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଫିଲ୍ମ ନିର୍ମାତା ଫିରୋଜ ନାଦିଆଡୱାଲାଙ୍କ ଘରେ ମଧ୍ୟ ଚଢ଼ାଉ କରିଥିଲା, ଯେଉଁଥିରେ ତାଙ୍କ ପତ୍ନୀ ଶାନା ସଇଦ ଗିରଫ ହୋଇଥିଲେ। ଫିରୋଜ ନାଡିଆଡୱାଲାଙ୍କୁ ମଧ୍ୟ ପଚରାଉଚରା ପାଇଁ ଡକାଯାଇଥିଲା। ତଦନ୍ତକାରୀ ସଂସ୍ଥା ତରଫରୁ ତାଙ୍କୁ ଏବେ ବି କ୍ଲିନ୍ ଚିଟ୍ ଦିଆଯାଇନାହିଁ।

ସୂଚନାଯୋଗ୍ୟ, ପଶ୍ଚିମ ମୁମ୍ବାଇ ଓ ନଭି ମୁମ୍ବାଇରୁ ଏନସିବି ବିପୁଳ ପରିମାଣରେ ଭିନ୍ନ ଭିନ୍ନ ପ୍ରକାରର ଡ୍ରଗ୍ସ ଜବତ କରିଛି। ଏହାସହ ୫ଜଣ ଡ୍ରଗ ପେଡେଲର ମଧ୍ୟ ଧରାପଡ଼ିଛନ୍ତି। ଏବଂ ସୂଚନା ମୁତାବକ ଏମାନେ ବଲିଉଡ୍ ଓ ଟିଭି ଅଭିନେତା, ଅଭିନେତ୍ରୀ ତଥା ମଡେଲମାନଙ୍କୁ ଡ୍ରଗ ଯୋଗାଇଥାନ୍ତି। ତେବେ ଏହି ସଂକ୍ରାନ୍ତରେ ଏନସିବି ବର୍ତ୍ତମାନ ତଦନ୍ତ ଚଲାଇଛି।