ପାକିସ୍ତାନର ଦେହ ବେପାର ଗୁମର କହିବ ହୀରାମଣ୍ଡି

ମୁମ୍ବାଇ: ବିଗ୍‌ ବଜେଟ୍‌ ଚଳଚ୍ଚିତ୍ର ନିର୍ମାତାଙ୍କ ଭିତରେ ସଂଜୟ ଲୀଲା ଭଂସାଲୀ ଗୋଟିଏ ଲୋକପ୍ରିୟ ନାମ । ତାଙ୍କର ପ୍ରତିଟି ଚଳଚ୍ଚିତ୍ର ଦର୍ଶକଙ୍କୁ ଭିନ୍ନ ଭିନ୍ନ ସ୍ୱାଦ ସେବନ କରିଆସିଛି ।

ପ୍ରତିଟି ଚରିତ୍ରକୁ ନିଖୁଣତାର ସହିତ ପରଦା ଉପରେ ଫୁଟାଇବା ଓ ଦମଦାର ଡାଇଲଗ ମାଧ୍ୟମରେ ଦର୍ଶକଙ୍କୁ ବଶୀଭୂତ କରିବାର କଳା ସଂଜୟଙ୍କୁ ଭଲ ଭାବରେ ଜଣା । ସବୁ ନିର୍ମାତାଙ୍କ ଭଳି ସଂଜୟ ଲୀଲା ଭଂସାଲୀ ମଧ୍ୟ ଛୋଟ ପରଦାରେ ଧମାକା କରିବା ପାଇଁ ୱେବ୍‌ ସିରିଜ ‘ହୀରାମଣ୍ଡି’ ନିର୍ମାଣ କରୁଛନ୍ତି । ଆପଣମାନେ ଉକ୍ତ ସିରିଜର ଅସଲ କଥା ଜାଣନ୍ତି? କ’ଣ ପାଇଁ ସଂଜୟଙ୍କ ଭଳି ଜଣେ ପୋଖତ ନିର୍ମାତା ଏଭଳି କାହାଣୀ ବାଛିଲେ?

‘ହୀରାମଣ୍ଡି’ ଗୋଟିଏ ଉର୍ଦ୍ଦୁ ଶବ୍ଦ ଯାହାର ଅର୍ଥ ହୀରା ବଜାର । ପାକିସ୍ତାନର ଲାହୋରରେ ହୀରାମଣ୍ଡି ନାମକ ଜାଗାଟିଏ ଅଛି । ସେଠାକାର ଦେହ ବେପାରକୁ କେନ୍ଦ୍ର କରି ଗୋଟିଏ ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ପ୍ରାୟ ୧୪ ବର୍ଷ ତଳେ ଲେଖକ ମୋଇନ୍‌ ବେଗ ନାମକ ଜଣେ ବନ୍ଧୁ ଭଂସାଲୀଙ୍କୁ ପରାମର୍ଶ ଦେଇଥିଲେ ।

ସେତେବେଳେ ଭଂସାଲୀ ସାହେବ ଶାହରୁଖ, ଐଶ୍ୱର୍ଯ୍ୟା ଓ ମାଧୁରୀ ଦୀକ୍ଷିତଙ୍କୁ ନେଇ ‘ଦେବଦାସ’ ନିର୍ମାଣ କରୁଥିଲେ । ତା’ପରେ ଭଂସାଲୀ ‘ସାଂୱରିୟା’, ‘ଗୁଜାରିସ’ ଓ ‘ବାଜିରାଓ ମସ୍ତାନୀ’ ଭଳି ଚଳଚ୍ଚିତ୍ର ତିଆରି କଲେ । ‘ହୀରାମଣ୍ଡି’ ପ୍ରତି ସେତେ ଗୁରୁତ୍ୱ ଦେଲେନି ।

ଭଂସାଲୀଙ୍କ ଉପରୁ ଆଶା ତୁଟାଇ ଲେଖକ ମୋଇନ୍‌ ତାଙ୍କର ହୀରାମଣ୍ଡି ସ୍କ୍ରିପ୍ଟ ଫେରାଇ ଦେବାକୁ ଅନୁରୋଧ କଲେ । ଏଥର ଭଂସାଲୀ ‘ହୀରାମଣ୍ଡି’କୁ ଆମୁଳଚୂଳ ପଢ଼ିଲେ । କାହାଣୀଟି ତାଙ୍କ ମନକୁ ପାଇଗଲା, ବିରାଟ ଆକାରର ୱେବ୍‌ ସିରିଜ ହୋଇଗଲା ।

ଏସିଆର ବଛା ବଛା ଦେହ ବଜାର ଭିତରୁ ‘ହୀରାମଣ୍ଡି’ ଗୋଟିଏ ଯୋଉଠି ଗୋଟିଏ ନାରୀର ଗୋରା ତକ୍‌ ତକ୍‌ ଚେହେରା, ଆଖିର ଚମକ ହୀରା ପରି ମୂଲ୍ୟବାନ । ସେହି ମୂଲ୍ୟବାନ ଦେହ ସହିତ କିଛି ମିନିଟ୍‌ କଟାଇବା ପାଇଁ ଦେଶ ବିଦେଶର ବହୁ କୋଟିପତି ଲାଇନ୍‌ ଲଗାଇଥାନ୍ତି । ହୀରାମଣ୍ଡି’ର ଅସଲ କାହାଣୀ ଆମକୁ ନୁହେଁ ସଂଜୟଙ୍କୁ ଜଣା ।