ନବୀନ ପଟ୍ଟନାୟକ ଅତି ଗରିବ!

ଭୁବନେଶ୍ୱର: ରାଜ୍ୟରେ ଗରିବଙ୍କ ସଂଖ୍ୟା କମାଇବା ପାଇଁ ବିଜେଡି ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା, ବିଜୁ ପକ୍କା ଘର, ମୁକ୍ତା, ବିଏସକେୱାଇ, ଜାଗା ମିଶନ, କାଳିଆ, ମଧୁବାବୁ ପେନସନ୍‌ ଯୋଜନା, ମିଶନ ଶକ୍ତି, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା, ସୁଦକ୍ଷା, ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଭଳି ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରିଛନ୍ତି ।
ଏତେସବୁ ଯୋଜନା ଶହେକୁ ଶହେ ସଫଳତା ଲାଭ କରି ପାରିଲାନି । ୨୪ ବର୍ଷ ଭିତରେ ଗରିବଙ୍କ ସଂଖ୍ୟା କମିଛି ବୋଲି ବିଧାନସଭାରେ କହିଦେଲେ ଚଳିବନି । ଯଦି ଗରିବଙ୍କ ସଂଖ୍ୟା କମିଛି; ତେବେ ସବୁ ମାହାଳିଆ ଯୋଜନା ଏକଦମ୍‌ ବନ୍ଦ କରି ଦିଆଯାଉ । ଲୋକମାନେ ଆପଣା ଦମରେ ସବୁ ସମସ୍ୟାକୁ ସାମ୍ନା କରନ୍ତୁ ।
କାଳିଆ ଟଙ୍କା ଦେଇ ଯଦି ସରକାର ଦୃଢ଼ତାର ସହ କହନ୍ତି ଯେ ଗରିବଙ୍କ ସଂଖ୍ୟା କମିଛି । ତା’ଠାରୁ ହାସ୍ୟାସ୍ପଦ କଥା ଆଉ କ’ଣ ହୋଇପାରେ । ଜାଗା ମିଶନ ଜରିଆରେ ଗରିବ ଲୋକଙ୍କୁ ମାଗଣାରେ ଜମି ମିଳୁନି । ଯଦି କଦବା କ୍ୱଚିତ କାହାକୁ ଜମିଟିଏ ଦେବାକୁ ସରକାରଙ୍କ ଇଛା ହେଉଛି, ସିଧା କୁଆ କୋଇଲି ରାବ ନଥିବା ଅଂଚଳକୁ ପଠାଇ ଦିଆଯାଉଛି ।
ବିଧାୟକ ନରସିଂହ ମିଶ୍ର ଜାଣିବାକୁ ଚାହିଁଲେ, ସରକାରଙ୍କ ମାପକାଠିରେ କୋଉମାନଙ୍କୁ ଗରିବ କୁହାଯିବ? ତା’ର ଜବାବ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ପାଖରେ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଗରିବଙ୍କ ସଂଜ୍ଞା ମାଲୁମ ନଥିବ । ଏମିତି ତ ନବୀନଙ୍କ ସବୁ ସମସ୍ୟାର ଚାବିକାଠି ପାଣ୍ଡିୟାନ ।
କାହାକୁ ଗରିବ କହିବା? ଭୋଟ ମାଗୁଥିବା ଲୋକକୁ ନା ନୋଟ ସାଉଁଟୁଥିବା ଲୋକକୁ । ମୋ ମତରେ ନବୀନ ପଟ୍ଟନାୟକଙ୍କଠାରୁ ଅତି ଗରିବ ବୋଧହୁଏ କେହି ନାହାନ୍ତି । ରାଜ୍ୟର ସାଢେ଼ ଚାରିକୋଟି ରାଜାଙ୍କ ଦୟାର ପାତ୍ର ନବୀନ ପଟ୍ଟନାୟକ ଦୀର୍ଘ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ମଧ୍ୟ ତାଙ୍କର ହାତ ପାତି ଭୋଟ ମାଗିବା ଗୁଣ ଛାଡ଼ି ପାରିଲେନି ।