ମୁମ୍ବାଇ: ‘ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁଠୁ ପପୁଲାର ଡ୍ରଗ୍ ହେଉଛି କୋକେନ୍। ଏହା ସମସ୍ତ ହାଉସ୍ ପାର୍ଟି ମାନଙ୍କରେ ବ୍ୟବହୃତ ହୁଏ। ଏହାର ଦାମ୍ ବହୁତ ବେଶୀ। ହେଲେ ନୂଆକରି ଯେବେ ତୁମେ ବଡ଼ବଡ଼ିଆଙ୍କ ଘରକୁ ଯିବ ଏହା ମାଗଣାରେ ପାଇବ’। ନିଜ ଟ୍ୱିଟର ଆକାଉଣ୍ଟ ଜରିଆରେ ଏପରି ସାଂଘାତିକ ତଥ୍ୟ ରଖିଛନ୍ତି ବଲିଉଡ଼୍ ଅଭିନେତ୍ରୀ କଙ୍ଗନା ରାଣାୱତ।
ସେ କହିଛନ୍ତି ଯେ, ନିଶା ନିୟନ୍ତ୍ରଣ ବ୍ୟୁରୋ ବଲିଉଡରେ ପ୍ରବେଶ କରିଲେ ବହୁ ପ୍ରଥମ ଶ୍ରେଣୀୟ ବ୍ୟକ୍ତି କାଠଗଡ଼ାରେ ଛିଡ଼ାହେବେ। ଯଦି ସମସ୍ତଙ୍କର ରକ୍ତ ପରୀକ୍ଷା କରାଯାଏ ତେବେ ସାଂଘାତିକ ଗୁମର ଫିଟିବ। ଆଶା ସ୍ୱଚ୍ଛ ଭାରତ ମିଶନ ଅଧିନରେ ଏହି ନର୍ଦ୍ଦମା ଯାହାର ନାଁ ବଲିଉଡ୍ ଏହାକୁ ସଫା କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟ୍ୟାଗ୍ କରି ଲେଖିଛନ୍ତି କଙ୍ଗନା।
ତାଙ୍କ କହିବା ମୁତାବକ ବିଭିନ୍ନ ବଲିଉଡ୍ ପାର୍ଟିରେ ଲୋକଙ୍କ ଅଜାଣତରେ ପାଣିରେ ଏମଡିଏମଏ କ୍ରିଷ୍ଟାଲ ମିଶାଇ ପିଇବାକୁ ଦିଆଯାଏ। ଯଦି ତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯିବ ତେବେ ନିଶା ନିୟନ୍ତ୍ରଣ ବ୍ୟୁରୋକୁ ଏ ବାବଦରେ ସାହାଯ୍ୟ କରିବା ନେଇ ସେ ଇଚ୍ଛୁକ ବୋଲି ଲେଖିଛନ୍ତି କଙ୍ଗନା। ଏହି ପ୍ରସଙ୍ଗ ଉଠାଇ ସେ କେବଳ ନିଜର କ୍ୟାରିଅର ନୁହେଁ ବରଂ ନିଜ ଜୀବନକୁ ବିପଦରେ ପକାଇଥିବା କହିଛନ୍ତି। ଏପରିକି ଏନେଇ ସୁଶାନ୍ତ ସିଂ ରାଜପୁତ କିଛି ତଥ୍ୟ ପାଇଥିଲେ ଯେଉଁଥପାଇଁ ତାଙ୍କୁ ମାରି ଦିଆଗଲା ବୋଲି ସେ ଲେଖିଛନ୍ତି।