ପିଲା ଚାହୁଁଛନ୍ତି କୌଣସି ମତେ ପରୀକ୍ଷା ହେଉ: ଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ସଙ୍କଟ ସମୟରେ ଜେଇ ଓ ନିଟ୍ ପରୀକ୍ଷା ଅନୁଷ୍ଠିତ କରେଇବାକୁ ନେଇ ଦେଶବ୍ୟାପୀ ଉଦବେଗ ପ୍ରକାଶ ପାଇଛି। ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହାକୁ ବିରୋଧ କରି କେନ୍ଦ୍ରକୁ ଚିଠି ଲେଖିଲେଣି। ଯାତାୟାତ ବ୍ୟବସ୍ଥା, ବନ୍ୟା ପରିସ୍ଥିତି ଏବଂ ସର୍ବୋପରି ସଂକ୍ରମଣକୁ ନଜରରେ ରଖି ପରୀକ୍ଷା ଘୁଞ୍ଚାଇବା ଦାବି ଉଠିଛି। ହେଲେ ପିଲା ଚାହୁଁଛନ୍ତି କୌଣସି ମତେ ପରୀକ୍ଷା ଅନୁଷ୍ଠିତ ହେଉ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି।

ପୋଖରିଆଲ ଖବର ସରବରାହ ସଂସ୍ଥା ଏଏନଆଇକୁ ବିବୃତି ଦେଇ କହିଛନ୍ତି ଯେ, ଏନଟିଏ ମହାନିର୍ଦ୍ଦେକଙ୍କ ରିପୋର୍ଟ ଅନୁଯାୟୀ ସମୁଦାୟ ୮.୫୮ ଲକ୍ଷ ଜେଇ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭.୫ ଲକ୍ଷ ଆଡ଼ମିଟ୍ କାର୍ଡ଼ ଡାଉନଲୋଡ଼ କରିସାରିଲେଣି। ସେହିଭଳି ୧୫.୯୭ ଲକ୍ଷ ନିଟ୍ ପରୀକ୍ଷାର୍ଥୀଙ୍କ ଭିତରୁ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଗତ ୨୪ ଘଣ୍ଟାରେ ନିଜର ଆଡ଼ମିଟ୍ କାର୍ଡ଼ ଡାଉନଲୋଡ଼ କରିଛନ୍ତି। ଏହା ସ୍ପଷ୍ଟ ସୂଚାଉଛି ଯେ ଛାତ୍ରଛାତ୍ରୀ ଚାହୁଁଛନ୍ତି ଯେ କୌଣସି ମତେ ପରୀକ୍ଷା ଅନୁଷ୍ଠିତ ହେଉ।

ସେ ଏହାମଧ୍ୟ କହିଛନ୍ତି ଯେ, ପିଲାଙ୍କ ସୁବିଧା ଲାଗି ଜେଇ ପାଇଁ ଉଦ୍ଦିଷ୍ଟ ପରୀକ୍ଷା କେନ୍ଦ୍ର ସଂଖ୍ୟା ୫୭୦ ରୁ ୬୬୦ ଏବଂ ନିଟ୍ ପାଇଁ ସେଣ୍ଟର ସଂଖ୍ୟା ୨୫୪୬ ରୁ ୩୮୪୨କୁ ବୃଦ୍ଧି କରାଯାଇଛି। ଏପରିକି ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ମନ ପସନ୍ଦର ପରୀକ୍ଷା କେନ୍ଦ୍ର ଯୋଗାଇ ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ଏଭଳି କଥା କହୁଥିବା ବେଳେ ରାଜସ୍ଥାନ ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂ ଦୋସ୍ତାରା ଏନେଇ ଆସନ୍ତାକାଲି ଧାରଣା ଦେବେ ବୋଲି କହିଛନ୍ତି।