ପ୍ରଥମ ଦେଖାରେ ଦୀୟାଙ୍କୁ କହିଥିଲେ କରୀନା

୨୦୦୯ ମସିହାରେ କରୀନା କପୁର ଖାନ୍ ଓ ଦୀୟା ମୀର୍ଜାଙ୍କୁ ‘କୁର୍ବାନ’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା । ନିକଟ ଅତୀତରେ କରୀନାଙ୍କ ଟକ୍ ସୋ’ରେ ଦୀୟାଙ୍କୁ ଆମନ୍ତ୍ରଣ କରାଯାଇଥିଲା । ସବୁ କିଛି ଠିକ୍‌ଠାକ । ମାତ୍ର ଆପଣ ଜାଣି ନଥିବେ, ଦୁଇଦଶନ୍ଧି ତଳେ ଦୁହିଁଙ୍କ ଭିତରେ ଅହି-ନକୁଳ ସଂପର୍କ ଥିଲା । ଗୋଟିଏ ମନୋରଞ୍ଜନ କାର୍ଯ୍ୟକ୍ରମରେ କରୀନା ଓ ଦୀୟା ଯୋଗଦାନ କରିଥିଲେ ଓ ସେହିଠାରେ କରୀନା ଦୀୟାଙ୍କ ପ୍ରତି ଏପରି କିଛି ଶବ୍ଦ ପ୍ରୟୋଗ କରିଥିଲେ ଯାହା ଦୀୟାଙ୍କୁ ବାଧିଥିଲା । ‘ରେହନା ହୈ ତେରେ ଦିଲ ମେଁ’ ଅଭିନେତ୍ରୀ କହି ବୁଲୁଥିଲେ ଯେ କରୀନା ଭାରି ଅହଂକାରୀ, ଅଭଦ୍ର ଓ ଶାଳୀନତା ଜାଣି ନାହାନ୍ତି ।

ଦୁଇଦଶନ୍ଧି ତଳର କଥାକୁ ମନେ ପକାଇ ଦୀୟା କହନ୍ତି, ଲକ୍ଷ୍ନୌରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ଅଭିନେତା ଅଭିନେତ୍ରୀ ଯୋଗଦାନ କରିଥିଲେ । ସେହି କାର୍ଯ୍ୟକ୍ରମରେ ଉର୍ମିଳା ମାତୋଣ୍ଡକର, ନମ୍ରତା ଶିରୋଦକର, କରୀନା ଓ ସେ (ଦୀୟା) ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଆୟୋଜକଙ୍କ ପରାମର୍ଶ ଥିଲା, ତ୍ରିରଙ୍ଗା ରଙ୍ଗ ସୂତାରେ ତିଆରି ସାଲୱାର ଓ କମିଜ ପିନ୍ଧିବା । କିନ୍ତୁ କରୀନା ଘାଘରା ଚୋଲି ପିନ୍ଧିବେ ଓ ଶରୀରରେ ପୁଳାଏ ଅଳଙ୍କାର ଧାରଣ କରିବାକୁ ଜିଦ କଲେ । ତାଙ୍କ ଜିଦ ଦେଖି ନମ୍ରତା ମନେ ମନେ ଅସନ୍ତୁଷ୍ଟ ଥିଲେ । ସେ କରୀନାଙ୍କୁ କିଛି କହିବେ କି ନାହିଁ ବିଚାର କରୁଥିଲେ । ସେତିକିବେଳେ ଦୀୟା ନମ୍ରତାଙ୍କୁ କହିଥିଲେ, ‘ତାଙ୍କୁ (କରୀନାଙ୍କୁ) କିଛି କହିବା ଦରକାର ନାହିଁ । ଚାଲ ଆମେ ଆମର କାମ କରିବା ।’ ଦୀୟାଙ୍କ କଥା କରୀନାଙ୍କ କାନରେ ପଡ଼ିଗଲା, ସେ ଚଟାପଟ ରାଗିଯାଇ ଦୀୟାଙ୍କୁ କହିଲେ, ‘ତୁ କିଏ ଲୋ ନମ୍ରତାଙ୍କୁ ଉପଦେଶ ଦେବାକୁ ।’ କରୀନାଙ୍କ ମୁହଁରୁ ସେତକ ଶୁଣି ଦୀୟା ଚୁପଚାପ୍ ରୁମ୍‌ରୁ ବାହାରି ଯାଇଥିଲେ ।