ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ନିର୍ଦ୍ଦେଶକ କୁମାର ଶାହାଣୀଙ୍କ ଦେହାନ୍ତ

ମୁମ୍ବାଇ: ମାୟା ଦର୍ପଣ ଓ ତରଙ୍ଗ ଭଳି ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ମାତା କୁମାର ଶାହାଣୀଙ୍କ ଦେହାନ୍ତ ହୋଇଯାଇଛି । କୋଲକାତାର ଆମ୍ରି ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ୮୩ ବର୍ଷୀୟ ଶାହାଣୀ ବେଶ କିଛିବର୍ଷ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ ।

ପାରାଲେଲ ସିନେମା ତିଆରି କରିବାରେ ସେ ଧୁରନ୍ଧର ଥିଲେ ।ଅଭିନେତ୍ରୀ ମୀତା ବଶିଷ୍ଠ ତାଙ୍କର ନିଧନ ସୂଚନା ପ୍ରଘଟ କରିଥିଲେ । ସେ ଶାହାଣୀଙ୍କ ସହିତ ‘ବାର ବାର ବାରୀ’, ଘାୟଲ ଗାଥା ଓ କସ୍‌ବା ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଶାହାଣୀଙ୍କ ପତ୍ନୀ ଓ ଦୁଇଜଣ ଝିଅ ଅଛନ୍ତି ।

୧୯୭୨ରେ ମାୟା ଦର୍ପଣ, ୧୯୮୪ରେ ତରଙ୍ଗ ଓ ୧୯୮୯ରେ ଘାୟଲ ଓ ୧୯୯୦ରେ କସ୍‌ବା ଭଳି କ୍ଲାସିକ୍‌ ଚଳଚ୍ଚିତ୍ର ନିର୍ମାଣ କରି ସେ ଭୂୟସୀ ପ୍ରଶଂସା ପାଇଥିଲେ । ଲେଖକ ଓ ଶିକ୍ଷକ ଭାବେ ତାଙ୍କର ଆଉ ଗୋଟିଏ ପରିଚୟ ରହିଛି ।