Pavitra Rista : ମରାଠି ଥିଏଟର ଦୁନିଆରେ ଚିର ପରିଚିତ ନାମ ଉଷା ନାଦକର୍ଣ୍ଣୀ । ହାତଗଣତି ହିନ୍ଦି ଚଳଚ୍ଚିତ୍ରରେ ସୀମିତ ସମୟ ପାଇଁ ଦମଦାର ଚରିତ୍ରରେ ଅବତୀର୍ଣ୍ଣ ହୋଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେବାର ଦକ୍ଷତା ତାଙ୍କ ନିକଟରେ ରହିଛି । ସମସ୍ତଙ୍କୁ ହସଲୁହ ବାଂଟିବା ଭିତରେ ତାଙ୍କୁ କେତେବେଳେ ୮୦ ବର୍ଷ ବୟସ ହୋଇଗଲା, ସେ ଜାଣି ପାରିଲେନି ।
ବୟସର ଅପରାହ୍ଣରେ ପହଂଚିବା ପରେ ଉଷା ଦେଖନ୍ତି, ସେ ଗୋଟେ ଥୁଂଟା ବରଗଛ । ତାଙ୍କୁ ମା’ ଡାକିବା ପାଇଁ ପାଖରେ ପୁଅ ନାହିଁ । ଥିଏଟର ଓ ଚଳଚ୍ଚିତ୍ର ଦୁନିଆ ଭିତରେ ବୁଡ଼ି ରହି ପୁଅକୁ ସମୟ ଦେଇପାରିଲେନି । ଉଷା କହନ୍ତି, ‘ପୁଅକୁ ଟିକେ ସ୍ନେହ ଦେଇ ପାରିଲିନି । ଅଭିମାନରେ ପୁଅ ମୋତେ ମା’ ଡାକିଲାନି । ଆଈ କୋଳରେ ମଣିଷ ହୋଇଛି । ତା’ ଦୁନିଆରେ ସେ ଆରାମରେ ରହିଛି । ଭଗବାନ ତାକୁ ଖୁସିରେ ରଖନ୍ତୁ ।’
ଟିଭି ସିରିଏଲ ‘ପବିତ୍ର ରିସ୍ତା’ରେ ବଳିଷ୍ଠ ଭୂମିକାରେ ଅବତୀର୍ଣ୍ଣ ହେବା ପରଠାରୁ ଉଷା ପ୍ରତି ଭାରତୀୟ ବୋହୂଙ୍କ ନିକଟରେ ପରିଚିତ । ଏକ ସାକ୍ଷାତକାରରେ ଉଷା କହନ୍ତି, ଦୀର୍ଘ ୪୦ ବର୍ଷ ଧରି ସେ ଏକୁଟିଆ ବସବାସ କରି ଆସୁଛନ୍ତି । ତାଙ୍କୁ ଏବେ ଆଉ ଏକୁଟିଆ ରହିବାକୁ ଭୟ ଲାଗୁନି । ନିକଟରେ ତାଙ୍କର ଭାଇ ଇହଲୋକ ତ୍ୟାଗ କରିଛନ୍ତି ।
ଉଷା ପ୍ରତିଦିନ ସକାଳୁ ଉଠନ୍ତି, ନିତ୍ୟକର୍ମ ସାରନ୍ତି । ରୋଷେଇ ଘରକୁ ଯାଇ ନିଜ ପାଇଁ ଖାଦ୍ୟ ତିଆରି କରନ୍ତି । ଠାକୁରଙ୍କୁ ପ୍ରାର୍ଥନା କରନ୍ତି । ବିଭିନ୍ନ ଲୋକଙ୍କ ସହିତ ଫୋନ୍ରେ ଆଳାପ କରନ୍ତି । ଅଣନାତି ଅଣନାତୁଣୀଙ୍କ ସହିତ ଗପସପ କରନ୍ତି, ଭିଡିଓ କଲ କରି ଘଂଟା ଘଂଟା ଗପନ୍ତି ।
ଉଷା କହନ୍ତି, ‘ମୁଁ ୧୯୮୭ ମସିହାରୁ ଏକୁଟିଆ ରହୁଛି । କାହାର ମରଣ କିପରି ହେବ, କହିବା ମୁସ୍କିଲ । ମରିବାକୁ ମୁଁ ଆଦୌ ଡରୁନି । ତେବେ ଶୋଇଥିବା ସମୟରେ ମୁଁ ମରିଗଲେ, ପାଖ ପଡ଼ୋଶୀ କହିବେ, ବୁଢ଼ୀ ସକାଳୁ କବାଟ ଖୋଲିନି ।’