ଲୋକପ୍ରିୟ ମଂଚ ଓ ଚଳଚ୍ଚିତ୍ର ଅଭିନେତା ବିକ୍ରମ ଗୋଖ୍ଲେଙ୍କର ପୁଣେସ୍ଥିତ ଦୀନାନାଥ ମଂଗେଶକର ହସ୍ପିଟାଲରେ ପରଲୋକ ଘଟିଛି । ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ୧୮ ଦିନ ଧରି ସେ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ବୁଧବାର ତାଙ୍କୁ ଭେଂଟିଲେଟର ସେବା ଯୋଗାଇ ଦିଆଯାଇଥିଲା । ମାତ୍ର ତାଙ୍କର ମୃତ୍ୟୁ ଖବର ସଂପର୍କୀତ ଗୁଜବ ପ୍ରଚାର ହୋଇଗଲା । ପରିବାର ଲୋକ ତୁରନ୍ତ ଖଣ୍ଡନ କରିଥିଲେ । ଶୁକ୍ରବାର ତାଙ୍କର ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଥିଲା । ଏକାଧିକ ଅଙ୍ଗ ଅଚଳ ହୋଇଯିବା କାରଣରୁ ଶନିବାର ଅପରାହ୍ଣରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କର ପାର୍ଥୀବ ଶରୀରକୁ ପୁଣେସ୍ଥିତ ବାଲ ଗନ୍ଧର୍ବ ରଂଗମନ୍ଦିରରେ ରଖାଯାଇଛି ।
ବଲିଉଡ୍ ଷ୍ଟାର ଅମିତାଭ ବଚ୍ଚନଙ୍କଠାରୁ ଅକ୍ଷୟ କୁମାରଙ୍କ ପର୍ଯ୍ୟନ୍ତ କଳାକାରମାନେ ତାଙ୍କର ଅନ୍ତିମ ଦର୍ଶନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଖ୍ଲେଙ୍କୁ ଜଣେ ଉଚ୍ଚକୋଟୀର ଅଭିନେତା କହି ଶୋକପ୍ରକାଶ କରିଛନ୍ତି । ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାଭିସ୍, ରାଜନେତା ପ୍ରକାଶ ଜାଭଡେକର, ଅଭିନେତ୍ରୀ ରୋହିଣୀ ହତଗଂଡି, ମନୋଜ ବାଜପେୟୀ, ଜାଭେଦ ଜାଫ୍ରି, ରବି କିଶନ ପ୍ରଭୃତି ଶୋକ ପ୍ରକାଶ କରିଛନ୍ତି ।
ବିକ୍ରମ ଗୋଖଲେ ମରାଠି ଥିଏଟର, ହିନ୍ଦୀ ସିନେମା ଓ ଟେଲିଭିଜନରେ ପରିଚିତ ନାମଟିଏ । ସେ ଏକ ଚଳଚ୍ଚିତ୍ର ପରିବାରରୁ ଆସିଥିଲେ । ତାଙ୍କ ବାପା ଚନ୍ଦ୍ରକାନ୍ତ ଗୋଖଲେ ଚଳଚ୍ଚିତ୍ର ଅଭିନେତା ଓ ଜେଜେମା’ କମଲାବାଇ ଗୋଖଲେ ଭାରତୀୟ ଚଳଚ୍ଚିତ୍ର ଦୁନିଆର ପ୍ରଥମ ମହିଳା ଶିଶୁ କଳାକାର ।

୧୯୭୧ରେ ଅମିତାଭଙ୍କ ଅଭିନୀତ ‘ପରମ୍ପରା’ ବିକ୍ରମ ଚଳଚ୍ଚିତ୍ର ଦୁନିଆରେ ପାଦ ରଖିଲେ । ସଂଜୟ ଲୀଲା ଭଂସାଲୀଙ୍କ ‘ହମ୍ ଦିଲ୍ ଦେ ଚୁକେ ସନମ୍’ରେ ଚଳଚ୍ଚିତ୍ରରେ ସେ ଐଶ୍ୱର୍ଯ୍ୟା ରାୟଙ୍କ ବାପା ଚରିତ୍ରରେ ଅଭିନୟ କରିଥିଲେ । ‘ଭୁଲ ଭୁଲୈୟା’, ‘ଦିଲ୍ ସେ’, ‘ଅଗ୍ନିପଥ’, ‘ଦେ ଦନା ଦନ୍’, ‘ହିଚ୍କି’, ‘ନିକମ୍ମା’ ଓ ‘ମିଶନ ମଙ୍ଗଲ’ରେ ତାଙ୍କର ବଳିଷ୍ଠ ଅଭିନୟ ଯେ ଦେଖିଛନ୍ତି, ପ୍ରଶଂସା ନକରି ରହି ପାରିନାହାନ୍ତି ।
ଅମିତାଭ ବଚ୍ଚନଙ୍କ ସହିତ ତାଙ୍କର ୫୫ ବର୍ଷର ସଂପର୍କ । ଅମିତାଭଙ୍କ ସଂପର୍କରେ ସେ ସବୁବେଳେ କହନ୍ତି, ଆପଣମାନେ ଅମିତାଭଙ୍କର ସଫଳତା ଦେଖିଛନ୍ତି, ମୁଁ ତାଙ୍କର ସଂଘର୍ଷମୟ ଜୀବନ ଦେଖିଛି ।
୧୯୮୯ରୁ ୧୯୯୧ ଭିତରେ ଟିଭି ପରଦାରେ ଚର୍ଚ୍ଚିତ କଳାକାର ଥିଲେ । ‘ଉଡାନ’ ତାଙ୍କର ସର୍ବଶ୍ରେଷ୍ଠ ଟିଭି ଧାରାବାହିକ । ପ୍ରାୟ ଡଜନେରୁ ଅଧିକ ଟିଭି ଧାରାବାହିକରେ ସେ ନିଖୁଣ ଅଭିନୟ କରିଛନ୍ତି । ଆକବର-ବୀରବଲ ଶୋ’ ତାଙ୍କର ଅନ୍ୟତମ ଲୋକପ୍ରିୟ ଧାରାବାହିକ ।