ଶ୍ରଦ୍ଧା ମାମଲା: ୧୩ ଦିନ ପାଇଁ ହାଜତକୁ ଗଲା ଅଫତାବ

ପୁଲିସକୁ ଭୁଆଁ ବୁଲାଉଛି..

ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫତାବକୁ ୧୩ ଦିନ ପାଇଁ ବିଚାର ବିଭାଗ ହାଜତକୁ ପଠାଇ ଦିଆଯାଇଛି । ତା’ ପୂର୍ବରୁ ଅଫତାବକୁ ଆମ୍ବେଦକର ହସ୍ପିଟାଲକୁ ନିଆଯାଇଥିଲା । ପୂର୍ବ ନିର୍ଦ୍ଧାରିତ ନିଷ୍ପତି ମୁତାବକ ଡାକ୍ତରଖାନାରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଦିଲ୍ଲୀର ଏକ ଅଦାଲତରେ ଅଫତାବକୁ ହାଜର କରାଯାଇଥିଲା । ଅଫତାବ ବିରୋଧରେ ଠୋସ୍‌ ପ୍ରମାଣ ପୁଲିସ ହାତରେ ପଡ଼ିଛି । ଜଙ୍ଗଲରୁ ସଂଗ୍ରହ କରାଯାଇଥିବା ଅସ୍ଥି ମୃତ ଶ୍ରଦ୍ଧାଙ୍କର ବୋଲି ସ୍ପଷ୍ଟ ହୋଇଛି । ଜଙ୍ଗଲ ଭିତରୁ ସଂଗୃହୀତ ଅସ୍ଥିର ଡିଏନ୍‌ଏ ସହ ଶ୍ରଦ୍ଧାଙ୍କ ବାପାଙ୍କର ଡିଏନ୍‌ଏ ସଂପୂର୍ଣ୍ଣ ମିଶିଛି । ପୁଲିସ ଡାକ୍ତରୀ ରିପୋର୍ଟକୁ ଅପେକ୍ଷା କରିଛି ।

ପୁଲିସର ତଦନ୍ତ କାର୍ଯ୍ୟରେ ସନ୍ତୁଷ୍ଟ ନୁହନ୍ତି ଶ୍ରଦ୍ଧାଙ୍କ ବାପା ବିକାଶ । ସେ କହିଛନ୍ତି, ଏବେ ମଧ୍ୟ ପୁଲିସକୁ ଭୁଆଁ ବୁଲାଉଛି ଅଫତାବ । ସିବିଆଇକୁ ତଦନ୍ତ ଦିଆଗଲେ, ଆହୁରି ଗୂଢ଼ ରହସ୍ୟ ଧରାପଡ଼ିବ । ଅଫତାବ ଶ୍ରଦ୍ଧାକୁ ମାରଧର କରୁଥିବା ସଂପର୍କରେ ତା’ର (ଅଫତାବର) ବାପାମା’ ଜାଣିଥିଲେ ମଧ୍ୟ ମୋତେ ଲୁଚାଇ ରଖିଥିଲେ । ବାପାମା’ଙ୍କ ଜାଣତରେ ଅଫତାବ ଶ୍ରଦ୍ଧାଙ୍କୁ ମାରିଛି ।

ମିଡ଼ିଆ ଆଗରେ ଶ୍ରଦ୍ଧାଙ୍କ ବାପା ବିକାଶ କହିଛନ୍ତି ଯେ ଶ୍ରଦ୍ଧା ତାଙ୍କୁ କିଛି କୁହନ୍ତି ନାହିଁ । ଶ୍ରଦ୍ଧା ତା’ର ମା’ଙ୍କୁ ସବୁ ବିଷୟ ଜଣାଉଥିଲା । ପତ୍ନୀଙ୍କ ମୃତ୍ୟୁ ପରେ ଶ୍ରଦ୍ଧାଙ୍କ ବିଷୟରେ କୌଣସି ଖବର ବିକାଶଙ୍କୁ ମାଲୁମ ନାହିଁ । ଯେବେ ବି ବିକାଶ ଶ୍ରଦ୍ଧାଙ୍କୁ ଫୋନ୍‌ କରି ‘କେମିତି ଅଛୁ’ ପଚାରନ୍ତି । ପ୍ରତ୍ୟେକ ଥର ଶ୍ରଦ୍ଧା ‘ଭଲରେ ଅଛି’ କହୁଥିଲେ । ଶ୍ରଦ୍ଧା ମାଡ଼ ଖାଉଥିବାର ଜାଣିଥିଲେ ତାକୁ ବୁଝାଇ ସୁଝାଇ ଘରକୁ ନେଇ ଯାଇଥାନ୍ତି । ଅଫତାବଙ୍କ ସଂପର୍କରେ ଯାହା ଆଶଙ୍କା କରୁଥିଲି ଠିକ୍‌ ସେହି ଘଟଣା ଘଟିଗଲା ।