ଅଷ୍ଟାଦଶ ଗୁରୁ – କୁରର ପକ୍ଷୀ

ଦତ୍ତାତ୍ରେୟଙ୍କର ୨୪ ଗୁରୁ ପ୍ରସଙ୍ଗରେ ଅଷ୍ଟାଦଶ ଗୁରୁ – କୁରର ପକ୍ଷୀ

ମହାତ୍ମା ଦତ୍ତାତ୍ରେୟ କହୁଛନ୍ତି ହେ ରାଜନ୍ ମୋର ଅଷ୍ଟାଦଶ ଗୁରୁ ହେଉଛନ୍ତି – କୁରର ପକ୍ଷୀ ” ମୁଁ ତାଙ୍କ ଠାରୁ ବସ୍ତୁକୁ ପାଖରେ ଜାବୁଡ଼ି ରଖିବାର ମାନସିକତା ପରିହାର କରିବା ଗୁଣ ଶିକ୍ଷା କରିଛି। ଏହି ପକ୍ଷୀଟିନିଜେ ସଂଗ୍ରହ କରିଥିବା ମାଂସ ଟୁକୁଡାଟିକୁ ଥଣ୍ଟରେ ଚାପି ଧରିଥାଏ । ଅନ୍ୟ ବଳଵାନ ପକ୍ଷୀ ମାନେ ତା ଠାରୁ ସେହି ମାଂସ ଖଣ୍ଡକୁ ଛଡାଇ ନେବା ପାଇଁ ପ୍ରୟାସ କରି ତାକୁ ବ୍ୟତିବ୍ୟସ୍ତ କରି ପକାନ୍ତି।

ନିଜ ଥଣ୍ଟରେ ମାଂସଟୁକୁଡାକୁ ଧରି ରଖିଥିବା କୁରୁର ପକ୍ଷୀ ଅନ୍ୟ ପକ୍ଷୀମାନଙ୍କର ଆକ୍ରମଣରେ ବ୍ୟତିବ୍ୟସ୍ତ ହୋଇ ଯେତେବେଳେ ମାଂସଟୁକୁଡାଟିକୁ ଛାଡ଼ିଦିଏ , ଅନ୍ୟମାନଙ୍କର ଆକ୍ରମଣରୁ ମଧ୍ୟ ରକ୍ଷା ପାଇଯାଏ । ଏଥିରୁ ଶିକ୍ଷାମିଳେ, ବସ୍ତୁକୁ ପାଖରେ ଜାବୁଡ଼ି ରଖି ଐହିକ ସୁଖଭୋଗର ବାସନା ହିଁ ସଂସାରରେ ଯାବତୀୟ ଯନ୍ତ୍ରଣା ଓ ଜଞ୍ଜାଳକୁ ଜନ୍ମ ଦେଇଥାଏ। ଏହାର ପରିତ୍ୟାଗରେ ହିଁ ଅସଲି ଆନନ୍ଦ ନିହିତ ରହିଛି।

ଓଡ଼ିଆ ଭାଗବତରୁ କେଇ ପଦ :-

ପକ୍ଷୀଙ୍କ ମଧ୍ୟେ ବଳୀୟାର । ସ୍ୱଭାବେ ପ୍ରଚଣ୍ଡ କୁରର।। ସେ ପୁଣି ନିତ୍ୟେ ପକ୍ଷୀ ମାରେ । ମାଂସ ଭକ୍ଷଇ ନେଇ ପରେ ।। କେବଳ ଶ୍ରମ ମାତ୍ର ସାର । ନ ଭକ୍ଷେ ଉଚିତ ଆହାର।। ଏଣୁ ମୁଁ ତାର ଦୁଃଖ ଚାହିଁ । ତା ତହୁଁ ଗୁରୁ ଶିକ୍ଷା ପାଇ ।। ନ କରି ବସ୍ତୁ ପରିଗ୍ରହ । ଏକା ଭ୍ରମଇ ଶୁନ୍ୟ ଦେହ ।। ଆତ୍ମାରେ ରମଇ ମୁଁ ନିତ୍ୟେ । ଭ୍ରମଇ ନିଶ୍ଚିନ୍ତେ ଜଗତେ।।