ଦତ୍ତାତ୍ରେୟଙ୍କର ୨୪ ଗୁରୁ ପ୍ରସଙ୍ଗରେ ଏକାଦଶ ଗୁରୁ: “ପତଙ୍ଗ”

ମହାତ୍ମା ଅବଧୂତ (ଦତ୍ତାତ୍ରେୟ ) କହୁଛନ୍ତି ହେ ରାଜନ୍ ମୋର ଏକାଦଶ ଗୁରୁ ହେଉଛନ୍ତି – ପତଙ୍ଗ ମୁଁ ତାଙ୍କୁ ଗୁରୁ କରି ଶିକ୍ଷା ପାଇଛି ଯେ କୌଣସି ବସ୍ତୁ ବା ବ୍ୟକ୍ତି ପ୍ରତି ଅତ୍ୟଧିକ ମୋହ ରଖିବା, ସମ୍ମୋହିତ ନହୋଇ କେବଳ ଈଶ୍ୱରଙ୍କ ପ୍ରତି ନିଷ୍ଠା ରଖି ପରିଶେଷରେ ତାଙ୍କ୍ ସହିତ ଲୀନ ହୋଇଯିବା ଜୀବନର ସାର ।
ପତଙ୍ଗ ଯେପରି ମୋହଗ୍ରସ୍ତ ହୋଇ, ନିଆଁକୁ ଖାଦ୍ୟ ଭାବି ଖାଇବାକୁ ଯାଇ ସେହି ନିଆଁରେ ପଡି ମରେ, ଅଜିତେନ୍ଦ୍ରୀୟ ବ୍ୟକ୍ତି ସେହି ପରି ସ୍ତ୍ରୀକୁ ଦେଖି ଓ ଅଜିତେନ୍ଦ୍ରୀୟ ସ୍ତ୍ରୀ ପୁରୁଷକୁ ଦେଖି କାମ ଲାଳସା ଚରିତାର୍ଥ କରିବା ପାଇଁ ମୋହଗ୍ରସ୍ତ ହୋଇ ଅନ୍ଧକାରମୟ ଘୋର ନର୍କରେ ପଡ଼ିଥାଏ । ଧନ ,ବସ୍ତ୍ର , ଆଭୂଷଣ ଆଦି ଯେତେ ବସ୍ତୁ ଅଛି ସମସ୍ତ ମାୟାମୟ । ମୂଢ ମନୁଷ୍ୟ ସେହି ସବୁରେ ଆସକ୍ତ ହୋଇ ଉପଭୋଗ ବୁଦ୍ଧିରେ , ବିବେକଶୁନ୍ୟ ହୋଇ ,ପରିଶେଷରେ ପତଙ୍ଗ ପରି ଆପେ ଆପେ ଯାଇ ନିଆଁରେ ପଡି ନିଜର ସର୍ବନାଶ କରିଦିଏ ।

ଭଗବାନ ବିଷ୍ଣୁଙ୍କର ୧୦୮ ପ୍ରକାର ମାୟା ଅଛି , ତା ମଧ୍ୟରୁ ମୋହିନୀ ମାୟା ଅନ୍ୟତମ ।ଏହି ମାୟା ପୁରୁଷକୁ ନାରୀ ରୂପରେ ଓ ନାରୀଙ୍କୁ ପୁରୁଷ ରୂପରେ ଆକର୍ଷିତ କରିଥାଏ । ଯେପରି ମେଘ ଦେହରେ ବିଜୁଳି ଚମକ ପରି ଅଟେ, କିନ୍ତୁ ବିଜୁଳିର ଆକର୍ଷଣ ରେ ଯିଏ ଆସିଯାଏ ତାର ପ୍ରାଣ ନାଶ ସୁନିଶ୍ଚିତ । ପତଙ୍ଗ ଅଗ୍ନି ଦ୍ଵାରା ସମ୍ମୋହିତ ହୋଇ ତହିଁରେ ଆକର୍ଷିତ ହୋଇ ଉଦବେଗରେ ସେଥିରେ ପ୍ରବେଶ କରେ ଓ ନିଜର ପ୍ରାଣ ତ୍ୟାଗ କରେ । ମନୁଷ୍ୟ ସେହିଭଳି ଦେହର, ରୂପର ମାୟାରେ ମୋହିତ ହୋଇ ନିଜର ସର୍ବନାଶ କରିଥାଏ । ଜଗତର ବିଷୟ ଉପରକୁ ଅତି ସୁନ୍ଦର୍ ଦେଖାଯାଏ , କିନ୍ତୁ ଭିତର ଅତି ନାରାଖାର ହୋଇଥାଏ । ଏକମାତ୍ର ପରମାତ୍ମା ହେଉଛନ୍ତି ସୁନ୍ଦର୍, ତାଙ୍କୁ ହିଁ ପ୍ରେମ କରିବା ଜୀବନର ଲକ୍ଷ୍ୟ ହେଉ ।

ଓଡ଼ିଆ ଭାଗବତରୁ ଦୁଇପଦ …….

“ବିଷ୍ଣୁ ର ମାୟା ମୋହକଳ୍ପ । କପଟେ ହୋଇ ନାରୀ ରୂପ ।। ସଂଯୋଗ କଲେ ପ୍ରାଣ ନାଶ । ଏଣୁ ନୋହିବ ତା ବିଶ୍ବାସ ।। ପତଙ୍ଗ ତଂହୁ ଏହା ଜାଣି । ଗୁରୁ ବଚନ ପରିମାଣି ।।”