ଦତ୍ତାତ୍ରେୟଙ୍କର ୨୪ ଗୁରୁ ପ୍ରସଙ୍ଗରେ ଷୋଡ଼ଶ ଗୁରୁ..?

ମହାତ୍ମା ଅବଧୂତ (ଦତାତ୍ତ୍ରେୟ ) ପୂର୍ବରୁ ଏହିଭଳି ଶବ୍ଦ, ସ୍ପର୍ଶ, ରସ, ରୂପ ଓ ଗନ୍ଧ ଏହି ପାଞ୍ଚୋଟି ଯାକ ବିଷୟରେ ଗୁରୁ ଶିକ୍ଷା କଲେ। ଗୋଟିଏ ଗୋଟିଏ ବିଷୟ ସେବନ ଦ୍ଵାରା, ପତଙ୍ଗ- ରୂପ ମୋହ ରେ, ହାତୀ – ସ୍ପର୍ଶ ମୋହ ରେ, ହରିଣ – ଶବ୍ଦ ମୋହ ରେ , ଭ୍ରମର, ମହୁମାଛି – ଗନ୍ଧ ମୋହ ରେ ଆସକ୍ତ ହୋଇ ନାଶ ହୋଇଯାନ୍ତି। ସେପରି ସ୍ଥଳରେ ସମସ୍ତ ବିଷୟ ସେବନ କରୁଥିବା ମନୁଷ୍ୟର ଅବସ୍ଥା କଣ ହେଉ ନ ଥିବ? ତାହା ସମସ୍ତଙ୍କର ବିଚାରର ବିଷୟ ହେଉ।

ରାଜନ ,ମାଛ ହେଉଛି ମୋର ଷୋଡ଼ଶ ଗୁରୁ। ଆହାର ପାଇଁ ଭୋଗର ତ୍ୟାଗଟିକୁ ମୁଁ ମାଛ ପାଖରୁ ଶିକ୍ଷା କରିଛି। ଜିହ୍ୱାର ରସାସ୍ୱାଦନ ଲାଳସା ମାଛକୁ ମୃତ୍ୟୁ ମୁଖରେ ପକାଇଥାଏ। ମୀନ ଖାଦ୍ୟ ଲାଳସା ରେ ଥୋପ ସହିତ ବନିଶୀ କଣ୍ଟାକୁ ମଧ୍ୟ ଭକ୍ଷଣ କରି ମୃତ୍ୟୁ ମୁଖରେ ପଡେ। ଠିକ୍ ସେହିପରି ମନୁଷ୍ୟକୁ ଏହି ଜିହ୍ୱା ଅତି ହିନସ୍ତା କରେ। ଜଣେ ସମସ୍ତ ଇନ୍ଦ୍ରିୟ ଉପରେ ବିଜୟ ଲାଭ କରି ସୁଦ୍ଧା ଯଦି ଜିହ୍ୱା ଲାଳସା ଉପରେ ବିଜୟ କରି ନଥାଏ ତେବେ ତାର ସମସ୍ତ ପରିଶ୍ରମ ବୃଥା ହୋଇଥାଏ। ଭୋଜନକୁ ତ୍ୟାଗ କରିଦେଲେ ଜୀବନ ନିର୍ବାହ ଅସମ୍ଭବ ହୋଇଯାଏ, ତେଣୁ ଭୋଜନ ସର୍ବଦା ପ୍ରାଣ ଓ ଶରୀର ରକ୍ଷା ନିମିତ୍ତ କରିବା ଉଚିତ, ବିବେକୀ ପୁରୁଷ ସର୍ବଦା ଅପରିମିତ ଆହାର, ଅପରିମିତ ବିହାର କରି ଇନ୍ଦ୍ରିୟକୁ ସଂଯତ କରିଥାନ୍ତି, ଯେଉଁ ବ୍ୟକ୍ତି ରସନାକୁ ଜିତି ପାରିଥାଏ ସେ ସର୍ବସ୍ବ ଜୟ କରିଥାଏ। ଯାହାର ଜିହ୍ୱା ସଂଯମ ତାହାର ମନ ବି ଆୟତ୍ତ । ଇନ୍ଦ୍ରିୟ ସଂଯମୀ ମାନବ ନାରାୟଣ ସହ ସମାନ।

ଓଡ଼ିଆ ଭାଗବତରୁ କିଛି ପଦ :-

ଜିହ୍ୱାକୁ ବର୍ଜ୍ଜି ଇନ୍ଦ୍ରିଗଣ । ହେଳେ ତ ଜିଣି ପାରେ ମନ ।। ଏ ବୋଲି ବୁଝି ଯେଉଁ ପ୍ରାଣୀ । ଯେବେ ଜିହ୍ୱାକୁ ପାରେ ଜିଣି ।।
ହେଲେ ଜିଣଇ ଇନ୍ଦ୍ରୀଗଣ । ସେ ପ୍ରାଣୀ ନିଶ୍ଚେ ନାରାୟଣ ।। ଏଣୁ ସେ ମୀନ ଗୁରୁ ମୋର । ଏବେ ହୋ ଶୁଣ ନୃପବର ।।