ବିଜେପି ପ୍ରାର୍ଥୀଙ୍କୁ ଶାସକ ବିଜେଡି ଗୁଣ୍ଡାଙ୍କ ବାରମ୍ବାର ମାରିଦେବାର ଧମକ

ହିଂସା ଓ ଭୟ ମୁକ୍ତ ନିର୍ବାଚନ ପରିଚାଳନାର ଦାୟିତ୍ୱ ପୋଲିସ ମହାନିର୍ଦ୍ଦେଶକଙ୍କର: ଡ.ଲେଖାଶ୍ରୀ

ଭୂବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌) : ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଅବାଧ, ନିରପେକ୍ଷ, ଭୟମୁକ୍ତ ହେବା ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶାସନ କ୍ଷମତା ଏବଂ ସରକାରୀ କଳ ଓ ବଳକୁ ଅପବ୍ୟବହାର କରି ଶାସକ ବିଜେଡି ଭୋଟରମାନଙ୍କୁ ବାରମ୍ବାର ପ୍ରଭାବିତ କରୁଛନ୍ତି । ଆଗାମୀ ତ୍ରୀସ୍ତରୀୟ ନିର୍ବାଚନ ଅବାଧ, ନିରପେକ୍ଷ, ଶାନ୍ତିପୂର୍ଣ୍ଣ ଏବଂ ଭୟମୁକ୍ତ ହେବା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପଂଚାୟତ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଓ ଭୟମୁକ୍ତ କରାଇବା ଦାୟିତ୍ୱ ହେଉଛି ପୋଲିସ ବିଭାଗର । ପୋଲିସ ମହାନିର୍ଦ୍ଦେଶକଙ୍କ ସାମ୍ବିଧାନିକ ଦାୟିତ୍ୱ ଶାନ୍ତି ପୂର୍ଣ୍ଣଆଇନ ଶୃଙ୍ଖଳା ପରିସ୍ତିତି ବଜାୟ ରଖିବା । ତେଣୁ ତୁରନ୍ତ ଅପରାଧୀ ମାନଙ୍କ ବିରୁଦ୍ଧରେ କଠୋର ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ନିର୍ବାଚନ ଅବାଧ ନିରପେକ୍ଷ ଓ ଭୟମୁକ୍ତ ହେଉ ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

  1. ମାଲକାନଗିରି ଜିଲ୍ଲା ପରିଷଦ ଜୋନ-୨ ବିଜେପି ପ୍ରାର୍ଥୀଙ୍କୁ ଶାସକ ବିଜେଡି ଗୁଣ୍ଡାଙ୍କ ବାରମ୍ବାର ମାରିଦେବାର ଧମକ
  2. ରିନା କବାସିଙ୍କୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ ଧମକ ଓ ଲାଂଚ ପ୍ରଦାନ କରିଥିବା ହୋମଗାର୍ଡ ସୁଧୀର ସ୍ୱାଇଁଙ୍କ ବିରୋଧରେ ବର୍ତମାନ ସୁଦ୍ଧା କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ
  3. ଭଦ୍ରକ ବ୍ଲକରେ ବିଜେପି କାର୍ଯ୍ୟକର୍ତାଙ୍କୁ ବିଜେଡି ଗୁଣ୍ଡାଙ୍କ ଦ୍ୱାରା ନିର୍ମମ ହତ୍ୟା କରାଯିବା ଘଟଣାରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ

ପଂଚାୟତ ନିର୍ବାଚନକୁ ହିଂସା ଓ ଭୟମୁକ୍ତ କରିବା ପାଇଁ ଆଜି ରାଜ୍ୟ ବିଜେପି ପ୍ରତିନିଧି ଦଳ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଦାବି ଜଣାଇବା ସହିତ ଅପରାଧୀ ଓ ଅଭିଯୁକ୍ତଙ୍କ ବିରୋଧରେ କଠୋର ଏବଂ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ଜଣାଇଛନ୍ତି ।

ଗତ ଜାନୁଆରୀ ୨୧ ତାରିଖରେ ମାଲକାନଗିରି ଜିଲ୍ଲା ପରିଷଦ ଜୋନ-୨ ପ୍ରାର୍ଥୀ ଶ୍ରୀ ପ୍ରଦୀପ କୁମାର ମାଡକାମୀଙ୍କୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ତିନି ଜଣ ଅଜ୍ଞାତ ବ୍ୟକ୍ତି ବିଚ୍‌ ବଜାରରେ ଧମକ ଦେବା ସହ ଜୀବନରୁ ମାରି ଦେବାର ମଧ୍ୟ ଧମକ ଦେଇଥିଲେ । ପୁଣି ଗତ ୩୧ ତାରିଖ ଦିନ ତିନି ଜଣ ମୁଖା ପିନ୍ଧା ଅଜ୍ଞାତ ବ୍ୟକ୍ତି ଶ୍ରୀ ମାଡକାମୀଙ୍କୁ ଆକ୍ରମଣ ସହ ମୁହଁରେ କପଡା ବାନ୍ଧି ଅପହରଣ କରିଥିଲେ । କିଛି ବାଟ ଗଲା ପରେ ତାଙ୍କୁ ନିର୍ବାଚନ ପ୍ରଚାର ନକରିବାକୁ ବାଧ୍ୟ କରିଥିଲେ ଏବଂ ଏଥିରୁ ନିବୃତ ନହେଲେ ତାଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେଇ ଭୟଭୀତ କରିଥିଲେ । ଦିନ ଦ୍ୱିପହରରେ ବିଜେପି ପ୍ରାର୍ଥୀଙ୍କୁ ବିଜେଡି ଗୁଣ୍ଡାମାନଙ୍କ ଧମକ ଅତ୍ୟନ୍ତ ନିନ୍ଦନୀୟ ।

ସେହିପରି ମାଲକାନଗିରି ଜିଲ୍ଲା କାଲିମେଳା ଜୋନ ବିଜେପି ଦଳୀୟ ପ୍ରାର୍ଥୀ ଶ୍ରୀମତି ରିନା କବାସିଙ୍କୁ ଗତ ଜାନୁଆରୀ ୨୩ ତାରିଖ ଦିନ ଅପହରଣ କରି ତାଙ୍କୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ ଧମକ ଓ ଲାଂଚ ପ୍ରଦାନ କରିଥିବା ହୋମଗାର୍ଡ ସୁଧୀର ସ୍ୱାଇଁଙ୍କ ବିରୋଧରେ ବର୍ତମାନ ସୁଦ୍ଧା କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

ଗତ ୧ତାରଖ ଭଦ୍ରକ ବ୍ଲକରେ ବିଜେପି କାର୍ଯ୍ୟକର୍ତା ଶୁବାଷିସ୍‌ ଗିରିଙ୍କୁ ବିଜେଡି ଗୁଣ୍ଡାଙ୍କ ଦ୍ୱାରା ନିର୍ମମ ହତ୍ୟା କରାଯିବା ଏବଂ ଅଭିଯୁକ୍ତଙ୍କ ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯିବା ସମସ୍ତଙ୍କୁ ଆଚମ୍ବିତ କରିବା ସହିତ ଭୟମୁକ୍ତ ନିର୍ବାଚନକୁ ନେଇ ବହୁ ପ୍ରଶ୍ନ ସୃଷ୍ଟି ହୋଇଛି ।

ଏହି ପ୍ରତିନିଧି ଦଳରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ, ଭଦ୍ରକ ଜିଲ୍ଲା ସଭାପତି ହେମନ୍ତ ପାଢୀ, ଲିଗାଲସେଲ୍‌ ସଂଯୋଜକ ଜୟନ୍ତ ଜେନାପ୍ରମୁଖ ସାମିଲ ଥିଲେ ।