ଦୈବୀ ଅନୁଗ୍ରହର ମୂଲ୍ୟ କିଛି କମ୍ ନୁହେଁ, ପରନ୍ତୁ ସେହି ଅନୁଗ୍ରହକୁ ହୃଦୟଙ୍ଗମ କରିବା ପାଇଁ ଯେଉଁ ସ୍ତରର ପାତ୍ରତା ଆବଶ୍ୟକ, ତାହାର ମୂଲ୍ୟ ଅନୁଗ୍ରହ ଠାରୁ ବି ଅଧିକ ହୋଇଥାଏ । ମେଘ ବରଷି ଥାଏ, କିନ୍ତୁ ତା’ର ବରଷିବାର ଲାଭ ମାଟି ଗଦା ଓ ଚଟାଣ ପାଇ ପାରନ୍ତି ନାହିଁ, ବରଂ ତା’ର ଲାଭ ତ କେବଳ ଗର୍ତ୍ତ କୁ ହିଁ ମିଳିଥାଏ । ପାତ୍ରକୁ ଓଲଟାଇ ରଖିଲେ ମୁଷଳଧାର ବର୍ଷା ମଧ୍ୟ ତାକୁ ଭର୍ତ୍ତି କରିପାରେ ନାହିଁ । ତାକୁ ଭରିବା ପାଇଁ ପାତ୍ରକୁ ଗ୍ରହଣଶୀଳ ହେବା ଆବଶ୍ୟକ ।
ଶିଷ୍ୟ ସତ୍ ପାତ୍ର ହେଲେ ଏକଲବ୍ୟ ପରି ଉଚ୍ଚ କୋଟିର ଧନୁର୍ଦ୍ଧର ହୋଇପାରେ । ସ୍ପଷ୍ଟ କଥା ହେଲା ଗୁରୁଙ୍କ ମହତ୍ତ୍ଵ ଯେତିକି ଆବଶ୍ୟକ, ତା’ଠାରୁ ବହୁତ ଅଧିକ ଆବଶ୍ୟକ ହେଉଛି ଶିଷ୍ୟର ଶ୍ରଦ୍ଧା, ସଦ୍ଭାବନା । ଯଦି ଶିବାଜି ସିଂହ୍ମଣୀର ଦୁଧ ଆଣି ନିଜର ପାତ୍ରତା ସିଦ୍ଧ କରି ନଥାନ୍ତେ, ତେବେ କ’ଣ ସମର୍ଥ ଗୁରୁ ରାମଦାସ ତାଙ୍କୁ ଛତ୍ରପତି କରିବାର ଅନୁଗ୍ରହ କରିଥାନ୍ତେ ? ଚନ୍ଦ୍ରଗୁପ୍ତଙ୍କ ସମର୍ପଣ ବିନା ଚାଣକ୍ୟ ତାଙ୍କୁ ଭାରତର ମଉଡ଼ମଣି କିପରି କରିପାରିଥାନ୍ତେ ? ଯଦି ନରେନ୍ଦ୍ର ମା’ କାଳୀଙ୍କ ଠାରୁ ଜ୍ଞାନ-ଭକ୍ତି –ବୈରାଗ୍ୟର କାମନା କରି ନଥାନ୍ତେ ତ ସ୍ଵାମୀ ରାମକୃଷ୍ଣ ପରମହଂସ ତାଙ୍କୁ ବିବେକାନନ୍ଦରେ ପରିଣତ କରିବା କିପରି ସମ୍ଭବ ହୋଇଥାନ୍ତା ?
ଶିଷ୍ୟ ସତପାତ୍ର ହେଲେ ହିଁ ଗୁରୁଙ୍କ କୃପା ପାଇବାର ଅଧିକାରୀ ହୋଇଥାଏ । ଗୁରୁ ନିଜର ତପ-ପୁଣ୍ୟ -ପ୍ରାଣ, ଶିଷ୍ୟକୁ ହସ୍ତଗତ କରାଇଥାନ୍ତି । ପଇସା ତ କିଛି ଘଣ୍ଟାର ପରିଶ୍ରମ ଦ୍ବାରା ଉପାର୍ଜନ କରାଯାଇପାରେ, କିନ୍ତୁ ପୁଣ୍ୟ ଅର୍ଜନ କରିବାରେ ଯୁଗ ଯୁଗ ବିତିଯାଏ । ସେହି ପୁଣ୍ୟ ଯଦି କୁପାତ୍ରକୁ ଅଯୋଗ୍ୟକୁ ଦିଆଯାଏ ତ ଏହାଠାରୁ ବଳି ଦୁର୍ଭାଗ୍ୟ ଆଉ କ’ଣ ହୋଇପାରେ ? ଆମେ ନିଜକୁ ସଦ୍ର କରି ଗଢ଼ିବା, ଏଥିରେ ସାଧନାର ସଫଳତା ନିହିତ । ନିଜକୁ ସତପାତ୍ର କରିବା ବିନା ସମସ୍ତ ସାଧନା ବ୍ୟର୍ଥ ହୋଇଯାଏ ।