ନୟାଗଡ଼ ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଢ଼େଇ ବର୍ଷ ବାଳକର ମୃତ୍ୟୁକୁ କେନ୍ଦ୍ର କରି କିଛି ସମୟ ପାଇଁ ଉତ୍ତେଜନା ଦେଖିବାକୁ ମିଳିଥିଲା ।
ଡାକ୍ତରଙ୍କ ଚିକିତ୍ସା ଅବହେଳାକୁ ଦାୟୀ କରି ମୃତ ନାବାଳକଙ୍କ ପରିବାର ଓ ସେମାନଙ୍କ ସଂପର୍କୀୟମାନେ ପାଟିତୁଣ୍ଡ କରିଥିଲେ ।
ପୋଲିଓ ଇଂଜେକସନ୍ ନେବା ପରେ ପରେ ପିଲାଟିର ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା । ବୁଧବାର ଦିନ ଅସୁସ୍ଥ ପିଲାଟିକୁ ଧରି ଡାକ୍ତରଖାନାରେ ପହଂଚିଥିଲେ ମା’ବାପ ।
ସ୍ୱାସ୍ଥ୍ୟ ପରୀକ୍ଷା କରି ଡାକ୍ତର ଜଣକ ‘ପିଲାଟି ସଂପୂର୍ଣ୍ଣ ଠିକ ଅଛି, ଡରିବାର ନାହିଁ’ କହିଥିଲେ ।
ପିଲାଟିକୁ ଘରକୁ ନେଇଯିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ବୁଧବାର ରାତିରେ ପିଲାଟିର ଦେହ ଆହୁରି ବିଗିଡ଼ି ଗଲା । ଗୁରୁବାର ସକାଳୁ ସକାଳୁ ପିଲାଟିକୁ ଧରି ଡାକ୍ତରଖାନାରେ ପହଂଚିଥିଲେ ପରିବାର ।
ଡ୍ୟୁଟିରେ ଥିବା ଡାକ୍ତର ଜଣକ ପିଲାଟିର ସ୍ୱାସ୍ଥ୍ୟ ଯାଂଚ କରୁଥିବା ସମୟରେ ତା’ର ଜୀବନ ଚାଲିଯାଇଥିଲା । ଡାକ୍ତର ନାବାଳକକୁ ମୃତ ଘୋଷଣା କରିବା ପରେ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଲା ।
ଯଥା ସମୟରେ ଡାକ୍ତରଖାନା ପକ୍ଷରୁ ଚିକିତ୍ସା ସେବା ଯୋଗାଇ ଦେଇଥିଲେ ପିଲାଟି ବଂଚି ଯାଇଥାନ୍ତା କହି ସଂପୃକ୍ତ ପରିବାର ଓ ସଂପର୍କୀୟ ଅଭିଯୋଗ କରି ହସ୍ପିଟାଲ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।