ଆମେ ଯେଉଁ ଖାଦ୍ୟ ଖାଇଥାଉ, ତାହା ପ୍ରଥମେ ପାକସ୍ଥଳୀକୁ ଯାଇଥାଏ, ତାପରେ ତାହା କ୍ଷୁଦ୍ରାନ୍ତ୍ରକୁ ଯାଏ ଏବଂ ପରିଶେଷରେ ବୃହଦାନ୍ତ୍ରରେ ପହଞ୍ଚିଥାଏ । ଏହି ସ୍ଥାନରୁ ହିଁ ମଳ ଅନ୍ତ୍ରରୁ ବାହାରକୁ ବାହାରିଥାଏ । ଏହି ବୃହଦାନ୍ତ୍ରର ପ୍ରଦାହ କୁ #ଅତିସାର କୁହାଯାଇଥାଏ । ଇଂରାଜୀରେ ଏହାକୁ ଡିସେଣ୍ଟ୍ରି କୁହାଯାଏ ।
ଲକ୍ଷଣ
ନାଳ ସହିତ ମଳତ୍ୟାଗ, ଚବିଶ ଘଣ୍ଟା ଭିତରେ ଦଶ ରୁ ତିରିଶ ବା ଏହାଠାରୁ ମଧ୍ୟ ଅଧିକ ଥର ନାଳଯୁକ୍ତ ମଳତ୍ୟାଗ, କେବେ କେବେ ରକ୍ତ ସହିତ ମଳ ଏବଂ ନାଳ ବାହାରିବା, ସବୁବେଳେ ମଳତ୍ୟାଗ ର ଇଚ୍ଛା ହେବା, ପେଟରେ ଯନ୍ତ୍ରଣା, ପେଟକୁ ସ୍ପର୍ଶ କରିବା ଦ୍ୱାରା ଯନ୍ତ୍ରଣାର ଅନୁଭବ, ନିଦ୍ରାର ଅଭାବ, ଭୋକର ଅଭାବ ଏବଂ କେବେ କେବେ ତୀବ୍ର ଜ୍ୱର, ଏ ସମସ୍ତ ଡିସେଣ୍ଟ୍ରିର ଲକ୍ଷଣ ଅଟେ ।
ଡିସେଣ୍ଟ୍ରି ମୁଖ୍ୟତଃ କେତେକ ଶ୍ରେଣୀର ଜୀବାଣୁ ଦ୍ୱାରା ଉତ୍ପନ୍ନ ହୋଇଥାଏ । ଅନେକ ସମୟରେ ବୃହଦାନ୍ତ୍ର ମଧ୍ୟରେ ଅବସ୍ଥିତ ଜୀବାଣୁ କୋଷ୍ଠବଦ୍ଧତା ଆଦି ବିଭିନ୍ନ କାରଣରୁ ବିଷାକ୍ତ ହୋଇ ଉଠିଥାନ୍ତି ଏବଂ ରୋଗ ଉତ୍ପନ୍ନ କରିଥାନ୍ତି । କିନ୍ତୁ ଶରୀର ଯଦି ସ୍ଵସ୍ଥ ଥାଏ ତେବେ ଏ ଜୀବାଣୁ କୌଣସି ପ୍ରକାର ଅନିଷ୍ଟ କରିପାରି ନଥାନ୍ତି ।
ଯେତେବେଳେ ଦେହରେ ବିଭିନ୍ନ ଦୂଷିତ ପଦାର୍ଥର ସଞ୍ଚୟର ଫଳ ସ୍ୱରୂପ ବୃହଦାନ୍ତ୍ର ଦୁର୍ବଳ ହୋଇଯାଇଥାଏ ଏବଂ ସେଥିରେ ଜୀବାଣୁ ବିସ୍ତାରର ଅନୁକୂଳ ଅବସ୍ଥା ସୃଷ୍ଟି ହୋଇଥାଏ, ସେତିକିବେଳେ କେବଳ ବିଭିନ୍ନ ଜୀବାଣୁ ତାଭିତରେ ରୋଗ ଉତ୍ପନ୍ନ କରିବାରେ ସମର୍ଥ ହୋଇଥାନ୍ତି । ଏଥିପାଇଁ କୋଷ୍ଠବଦ୍ଧତାରେ ଯେଉଁମାନେ ପୀଡିତ ଥା’ନ୍ତି, ସେହିମାନଙ୍କୁ ସାଧାରଣତଃ ଡିସେଣ୍ଟ୍ରି ହୋଇଥାଏ ।
ଶରୀର ଭିତରେ ପୂର୍ବରୁ ହିଁ ରୋଗ ବିସ୍ତାରର ଏପରି ଅନୁକୂଳ ଅବସ୍ଥା ନଥିଲେ କୌଣସି ରୋଗ ଜୀବାଣୁ ବୃହଦାନ୍ତ୍ରର କିଛି ବି ଅନିଷ୍ଟ କରିପାରିବ ନାହିଁ । ତେଣୁ ଡିସେଣ୍ଟ୍ରି ବୃହଦାନ୍ତ୍ରର ରୋଗ ହୋଇଥିଲେ ମଧ୍ୟ ସ୍ଥାନୀୟ ରୋଗ ନୁହେଁ । ବାସ୍ତବରେ ଏହା ସମସ୍ତ ଶରୀରର ରୋଗ ଅଟେ, କେବଳ ଏହାର ବିଶେଷ ପ୍ରକାଶ ବୃହଦାନ୍ତ୍ରରେ ହୋଇଥାଏ । ବୃହଦାନ୍ତ୍ରର ଦୁର୍ବଳ ଅବସ୍ଥାରେ ପ୍ରକୃତି କେବଳ ଏହାକୁ ଶରୀର ରୁ ବିଷ ବାହାର କରିବାର ରାସ୍ତା ଭାବରେ ବ୍ୟବହାର କରିଥାଏ ।