ପାକିସ୍ତାନର ଗେହ୍ଲାପୁଅ କୁଖ୍ୟାତ ଅପରାଧୀ ଦାଉଦ

ପାକିସ୍ତାନରେ ରହି ଦାଉଦ ତା’ର ଅନୁଗତଙ୍କ ଜରିଆରେ ଅପରାଧିକ ସାମ୍ରାଜ୍ୟ ଚଳାଉଥିଲା…

ନୂଆଦିଲ୍ଲୀ: ୧୯୯୩ ମୁମ୍ବାଇ ସିରିଏଲ୍‌ ବୋମା ବିସ୍ଫୋରଣର ମୁଖ୍ୟ ଖଳନାୟକ ଦାଉଦ୍‌ ଇବ୍ରାହିମ ଧରାପଡ଼ିବା ଭୟରେ ପାକିସ୍ତାନ ପଳାୟନ କରିଥିଲା । ପାକିସ୍ତାନରେ ରହି ଦାଉଦ ତା’ର ଅନୁଗତଙ୍କ ଜରିଆରେ ଅପରାଧିକ ସାମ୍ରାଜ୍ୟ ଚଳାଉଥିଲା । କିନ୍ତୁ ୨୦୧୫ ମସିହାରୁ ସେ ଧୀରେଧୀରେ ମୁଣ୍ଡ ଟେକିବା ଆରମ୍ଭ କରିଛି । ପାକିସ୍ତାନ ସରକାରଙ୍କ ଗେହ୍ଲାପୁଅ ହୋଇ ବିଳାସମୟ ଜୀବନ ଯାପନ କରୁଛି ।

ପାକିସ୍ତାନର ମୁଖ୍ୟ ସହରଗୁଡ଼ିକରେ ଦାଉଦର ଅବସ୍ଥିତି ଜାଣିବା ପରେ ଭାରତର ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ତା’ର ନିକଟ ସମ୍ପର୍କୀୟ, ଅନୁଗତଙ୍କ ମାଲିକାନାରେ ଥିବା ଜମିବାଡ଼ି ଓ ଧନସମ୍ପତିକୁ ଅକ୍ତିଆରକୁ ଆଣିବା କାମ ଜାରି ରଖିଛି । ଭାରତ ସମେତ ମରକ୍କୋ, ସ୍ପେନ୍‌, ସାଉଦି ଆରବ ରାଷ୍ଟ୍ରସଂଘ, ସିଙ୍ଗାପୁର, ଥାଇଲାଣ୍ଡ, ସାଇପ୍ରସ, ତୁର୍କୀ ଓ ବ୍ରିଟେନରେ ଦାଉଦର ଅଚଳାଚଳ ସମ୍ପତି ରହିଛି । ସେସବୁ ସ୍ଥାନରେ ରହିଥିବା ଦାଉଦ ଗୋଷ୍ଠୀର ଧନସମ୍ପତି ଆକଳନ କରୁଛି ଇଡି ।

ଏନ୍‌ଆଇଏ ଗୁପ୍ତ ରିପୋର୍ଟ ଅନୁସାରେ ପାକିସ୍ତାନର ତିନୋଟି ସ୍ଥାନରେ ଦାଉଦର କୋଠାବାଡ଼ି ରହିଛି । ପ୍ରଥମ ଠିକଣା ହେଉଛି କରାଚୀର କ୍ଲିଫ୍‌ଟନ୍‌ ଅନ୍ତର୍ଗତ ଅବଦୁଲ୍ଲା ଶାହ ଗାଜି ଦରଘା ସାମ୍ନାରେ ଥିବା ମୋଇନ୍‌ ପ୍ୟାଲେସର ଦ୍ୱିତୀୟ ମହଲା । ଦ୍ୱିତୀୟ ଠିକଣା ହେଉଛି କରାଚୀସ୍ଥିତ ଡିଫେନ୍ସ ହାଉସିଂ ଏରିଆ, ଫେଜ-୫ ଅନ୍ତର୍ଗତ ଖ୍ୟାବନ୍‌ ତଂଜୀବ କୋଠାର ଘର ନଂ-୬/ଏ । ତୃତୀୟ ଠିକଣାଟି ଇସଲାମାବାଦ ଅନ୍ତର୍ଗତ ମରଗଲ୍ଲା ରୋଡସ୍ଥିତ ଘର ନଂ-୩ ।

ତା’ର ଭାଇମାନଙ୍କ ଭିତରୁ ଅନିସ ଇବ୍ରାହିମ ଓ ହୁମାୟୁନ କରାଚୀରେ ରହୁଛନ୍ତି । ମୁମ୍ବାଇରେ ଇକବାଲ କାସ୍କାର ରହୁଛି । ନୁରୁ ଓ ମୁସ୍ତକିନ୍‌ ସାଉଦି ଆରବ ଓ କରାଚୀରେ ରହୁଛନ୍ତି । ଦାଉଦର ଭଉଣୀ ହସିନା ପାର୍କର ୨୦୧୪ରେ ମୃତ୍ୟୁବରଣ କରିଛନ୍ତି । ତା’ର ଅନ୍ୟ ଦୁଇ ଭଉଣୀ ଜୈତୁନ ଦୁବାଇରେ ରହୁଥିଲା ବେଳେ ମୁମତାଜ ସାଉଦି ଆରବରେ ରହୁଛନ୍ତି ।