ଅସାଧୁ କର୍ମଚାରୀଙ୍କ ମାୟାରେ ଫସିଯିବ ମାଟ୍ରିକ ପରୀକ୍ଷା

କଟକ: ଫେବ୍ରୁଆରୀ ୨୦ ତାରିଖରୁ ଆରମ୍ଭ ହେବ ୨୦୨୪ ମାଟ୍ରିକ ପରୀକ୍ଷା, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା । ମାର୍ଚ୍ଚ ୪ ତାରିଖ ଭିତରେ ସବୁ ପରୀକ୍ଷା ସାରିବାକୁ ପଡିବ । ମାର୍ଚ୍ଚ ୧୨ ତାରିଖରୁ ପରୀକ୍ଷା ଖାତାର ମୂଲ୍ୟାୟନ ଆରମ୍ଭ ହୋଇ ୧୨ ଦିନ ଭିତରେ ସରିବ । ସବୁ କିଛି ଯୋଜନାବଦ୍ଧ ହୋଇସାରିଛି । ତେବେ କଥା ଉଠୁଛି, ଏତେ ସବୁ ଯୋଜନା ପଣ୍ଡ ହୋଇଯିବନି ତ ।

ବେଶ କିଛିବର୍ଷ ଧରି ମାଟ୍ରିକ ପରୀକ୍ଷା ସଂପର୍କୀତ ବଦନାମ ସରକାରଙ୍କୁ ମୁଣ୍ଡାଇବାକୁ ପଡୁଛି । ସିଲାବସ ବାହାରୁ ପ୍ରଶ୍ନ, ପ୍ରଶ୍ନପତ୍ର ଲିକ, କପି ସେଂଟର, କପିଧରା ସ୍କ୍ୱାଡ୍‌, ପରୀକ୍ଷା ମୂଲ୍ୟାୟନ ଭଳି ପ୍ରତିଟି ପର୍ଯ୍ୟାୟରେ ସରକାରୀ କର୍ମଚାରୀ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସନ୍ଦେହଜନକ ଭୂମିକା ସାମ୍ନାକୁ ଆସୁଛି । ଫଳରେ ମାଟ୍ରିକ ପରୀକ୍ଷାର ସ୍ୱଚ୍ଛତା ପ୍ରତି ଲୋକଙ୍କ ମନରେ ନାନା ସନ୍ଦେହ ରହୁଛି ।

ପ୍ରତିବର୍ଷ ପରୀକ୍ଷା ପୂର୍ବରୁ ସରକାର ବେଶ ଦମ୍ଭର ସହିତ ସ୍ୱଚ୍ଛତାର ଦ୍ୱାହି ଦିଅନ୍ତି । କିନ୍ତୁ ସ୍ୱଚ୍ଛତାର ଅଳିନ୍ଦ ଭିତରେ ଆରାମରେ ପଶିଯାଏ ମୁସ୍କିଲ । ଏଥର ପଶିବନି ବୋଲି କିଏ କହିବ । ବିଧାନସଭା ଓ ଲୋକସଭା ନିର୍ବାଚନ ଥିବାରୁ ପରୀକ୍ଷାଗୁଡ଼ିକ ତୁରନ୍ତ ସାରିବାକୁ ପଡିବ । ତୁରନ୍ତ କାମ ମାନେ ଅଡୁଆ ଭିତରେ ମୁସ୍କିଲ ପଶିବ; ସେଥିରେ ସନ୍ଦେହ ନାହିଁ ।