କୋଲକାତାରେ ଆଞ୍ଚଳିକ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ମିଳନୀ ‘କୌଶଳ ମନ୍ଥନ’
ଓଡ଼ିଶା ଦେଶର ପ୍ରମୁଖ ସ୍କିଲିଂ ହବ୍ ଭାବେ ଉଭା ହେଉଛି…
ଭୁବନେଶ୍ବର(ସାକ୍ସୀ ନ୍ୟୁଜ୍): ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ଦ୍ରୁତ ଗତିରେ ଦେଶର ଏକ ପ୍ରମୁଖ ଦକ୍ଷତା ବିକାଶ କେନ୍ଦ୍ର ଭାବେ ଉଭା ହେଉଛି। କୋଲକାତାରେ ଆୟୋଜିତ ଆଞ୍ଚଳିକ କୌଶଳ ମନ୍ତ୍ରୀ ସମ୍ମିଳନୀ ‘କୌଶଳ ମନ୍ଥନ’ରେ ଯୋଗଦେଇ ଏହା କହିଛନ୍ତି ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ। କେନ୍ଦ୍ର କୌଶଳ ବିକାଶ ଓ ଉଦ୍ୟମିତା ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ଜୟନ୍ତ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟବର ମନ୍ତ୍ରୀଗଣ ଏବଂ ବରିଷ୍ଠ ଆଧିକାରୀମାନେ ଯୋଗଦେଇ ସ୍କିଲ ଇକୋସିଷ୍ଟମରେ ଉନ୍ନତି ଆଣିବା ନେଇ ଆଲୋଚନା କରିଛନ୍ତି ।

୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଆଇ.ଟି.ଆଇ. ଗୁଡ଼ିକର ଆଧୁନିକୀକରଣ, ୱାର୍ଲ୍ଡ ସ୍କିଲ ସେଣ୍ଟରର ସମ୍ପ୍ରସାରଣ, ଭବିଷ୍ୟତର ଜ୍ଞାନକୌଶଳକୁ ନେଇ ଶିଳ୍ପ-ଭିତ୍ତିକ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା ଏବଂ ଅନ୍ତର୍ଜାତୀୟ ସ୍ତରରେ ନିଯୁକ୍ତି ପାଇଁ ପଥ ସୁଗମ କରି ସ୍କିଲିଂ ଇକୋସିଷ୍ଟମରେ ବ୍ୟାପକ ପରିବର୍ତ୍ତନ ଆଣୁଛନ୍ତି। ବର୍ତ୍ତମାନ ସମୟରେ ଦକ୍ଷତା ବିକାଶ ହେଉଛି ନୂତନ ମୁଦ୍ରା। ତେଣୁ ଆମ ଯୁବବର୍ଗଙ୍କୁ ଭବିଷ୍ୟତ-ଉପଯୋଗୀ କୌଶଳରେ ସଶକ୍ତ କରିବା ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି କହିଛନ୍ତି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସ୍ବାଇଁ ।
ସମ୍ମିଳନୀରେ ପିଏମ୍ ସେତୁ, ଆଇ.ଟି.ଆଇ. ଗୁଡ଼ିକର ସୁଦୃଢ଼ୀକରଣ, ଶିଳ୍ପ ସଂଯୋଗକୁ ଅଧିକ ଦୃଢୀଭୂତ କରିବା ଏବଂ ଭାରତର ଯୁବବର୍ଗଙ୍କୁ ଭବିଷ୍ୟତର କାର୍ଯ୍ୟକ୍ଷେତ୍ର ପାଇଁ ପ୍ରସ୍ତୁତ କରିବା ନେଇ ଆଲୋଚନା କରାଯାଇଥିଲା। ଦକ୍ଷତା ବିକାଶକୁ ନିଯୁକ୍ତି ସୁଯୋଗରେ ପରିଣତ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା। ସାରା ବିଶ୍ବରେ କାର୍ଯ୍ୟପନ୍ଥା ଦିନକୁ ଦିନ ପରିବର୍ତ୍ତନ ହେଉଥିବା ବେଳେ ସୁଦୃଢ଼ ସହଭାଗିତା ଆଗାମୀ କାଲି ପାଇଁ ଶ୍ରେଷ୍ଠ କୌଶଳ, ଉତ୍ତମ ସୁଯୋଗ ଏବଂ ଭବିଷ୍ୟତ-ଉପଯୋଗୀ ଦକ୍ଷ ମାନବସମ୍ବଳ ସୃଷ୍ଟି କରିପାରିବ ।
ସମ୍ମିଳନୀରେ ଓଡିଶା ସମେତ ପଶ୍ଚିମବଙ୍ଗ, ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ଗୁଜରାଟର ଦକ୍ଷତା ବିକାଶ ମନ୍ତ୍ରୀ ଏବଂ ବରିଷ୍ଠ ଆଧିକାରୀମାନେ ଯୋଗ ଦେଇଥିଲେ ।