ଚିନ୍ତା ଓ ଆର୍ଥିକ ସମସ୍ୟା ଲାଗି ରହୁଛି କି?

ବାସ୍ତୁ ଶାସ୍ତ୍ରର ଖୁବ ମହତ୍ତ୍ୱ ରହିଛି। ବାସ୍ତୁ ଶାସ୍ତ୍ରରେ ଘରର ପ୍ରତ୍ୟେକ ଛୋଟ ଠାରୁ ଆରମ୍ଭ କରି ବଡ ଜିନିଷ ରଖିବା ପାଇଁ ନିୟମ ବର୍ଣ୍ଣନା କରାଯାଇଛି। ବାସ୍ତୁର ଏହି କେତୋଟି ନିୟମ ପ୍ରତି ଧ୍ୟାନ ଦେବା ଦ୍ୱାରା ଗୃହରେ ସୁଖଶାନ୍ତି ବୃଦ୍ଧି ହୋଇଥାଏ। ତେବେ ଏପରି କିଛି ସହଜ ସରଳ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହା ଦ୍ୱାରା ଚିନ୍ତା ଦୂର ହୋଇଥାଏ। ଜାଣନ୍ତୁ..

ସର୍ବଦା ଦକ୍ଷିଣ କିମ୍ବା ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବାକୁ ବାସ୍ତୁ ଅନୁଯାୟୀ ପରାମର୍ଶ ଦିଆଯାଇଛି। ମାତ୍ର ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବାକୁ ବାରଣ କରାଯାଇଛି। ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଦ୍ୱାରା ଗୋଡ ଦକ୍ଷିଣ ଆଡକୁ ରହିଥାଏ। ଫଳରେ ମାନସିକ ଦୁଃଶ୍ଚିନ୍ତା ଲାଗି ରହିଥାଏ। ଉତ୍ତମ ନିଦ ମଧ୍ୟ ହୋଇନଥାଏ। ତେଣୁ ଶୟନ ପାଇଁ ଦିଗ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ।

ଶୟନ କକ୍ଷରେ ଟିଭି ରଖନ୍ତୁ ନାହିଁ। ବାସ୍ତୁ ଅନୁଯାୟୀ, ଶୟନ କକ୍ଷରେ ଖଟ ସମ୍ମୁଖରେ ଆଇନା କିମ୍ବା ଡ୍ରେସିଙ୍ଗ୍‌‌ ଟେବୁଲ ରଖିବା ଉଚିତ ନୁହେଁ। ଶୟନ କକ୍ଷରେ ଆଇନା କିମ୍ବା ଡ୍ରେସିଙ୍ଗ୍‌‌ ଟେବୁଲ ଥିଲେ ବ୍ୟବହାର ସମୟ ବ୍ୟତୀତ ଅନ୍ୟ ସମୟରେ ଏହାକୁ କପଡା ଦ୍ୱାରା ଢାଙ୍କି ରଖନ୍ତୁ।

ସର୍ବଦା ଘରର ଅଗଣାକୁ ସଫାସୁତୁରା ରଖନ୍ତୁ। ଅପରିଷ୍କାର କଦାପି ରଖନ୍ତୁ ନାହିଁ। ଏହାକୁ ଅଣଦେଖା କରିବା ଦ୍ୱାରା ମାନସିକ ଦୁଃଶ୍ଚିନ୍ତା ଲାଗି ରହେ। ଏହାସହ ଖରାପ ବୈଦ୍ୟୁତିକ ଉପକରଣ ମଧ୍ୟ ଘରେ ରଖନ୍ତୁ ନାହିଁ। ଏହାଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଚିନ୍ତା ଓ କଳହ ଲାଗି ରହିଥାଏ।
ବାସ୍ତୁ ଅନୁଯାୟୀ, ଘରର କବାଟ କଦାପି ପରସ୍ପର ସମ୍ମୁଖରେ ହେବା ଉଚିତ ନୁହେଁ। ଏହାଦ୍ୱାରା ବାସ୍ତୁ ସମସ୍ୟା ସୃଷ୍ଟି ହେବା ଆର୍ଥିକ ସମସ୍ୟା ମଧ୍ୟ ଲାଗି ରହିଥାଏ।