ଯେତେ ମାଠିଲେ ମାଠ: ବ୍ରିକ୍ସରେ ମୋଦି-ଜିନପିଙ୍ଗ ଭେଟ!

ନୂଆଦିଲ୍ଲୀ: ଅଗଷ୍ଟ ୨୨ରୁ ୨୪ ଯାଏ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ହେଉଛି ବ୍ରିକ୍ସ ମହାବୈଠକ । ସେହି ବୈଠକରେ ଯୋଗଦେବେ ବ୍ରାଜିଲ, ରୁଷିଆ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା ଭଳି ପ୍ରମୁଖ ବିକଶିତ ଓ ବିକାଶଶୀଳ ଦେଶ । ଉକ୍ତ ବୈଠକରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ ହେବାର ସମ୍ଭାବନା। ଏ ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି ବିଦେଶ ସଚିବ ବିନୟ କ୍ୱାତ୍ରା । ପ୍ରଧାନମନ୍ତ୍ରୀ ମୋଦି ଜୋହାନ୍ସବର୍ଗ ଅଭିମୁଖେ ଯାତ୍ରା।

ଭାରତ-ଚୀନ ମଧ୍ୟରେ ସୀମା ବିବାଦ କ୍ରମେ ଘନଉଛି । ଭାରତ ଚୀନ ସହିତ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଚାହୁଁଥିବା ବେଳେ ଚୀନ ନାନା ବିବାଦ ସୃଷ୍ଟି କରୁଛି । ବାରମ୍ବାର ଆଲୋଚନା କଲେ ମଧ୍ୟ ସୀମା ନିକଟରେ ଶାନ୍ତିପୂର୍ଣ୍ଣ ବାତାବରଣ ନାହିଁ । ସୀମା ଆରପଟେ ଚୀନ ସରକାରଙ୍କ ରାସ୍ତା ନିର୍ମାଣ, ଯୁଦ୍ଧ ସାମଗ୍ରୀ ଠୁଳ ଆଦି ଘଟଣା ଭାରତକୁ ଚିନ୍ତାରେ ପକାଇଛି । ଚୀନ ରାଷ୍ଟ୍ରପତି ଏସବୁ ଘଟଣାର ପ୍ରତ୍ୟକ୍ଷଦର୍ଶୀ ଥିଲେ ମଧ୍ୟ ଠୋସ ପଦକ୍ଷେପ ଗ୍ରହଣ କରୁନାହାନ୍ତି ।

ସଂପ୍ରତି ବ୍ରିକ୍ସ ମହାବୈଠକରେ ମୋଦି-ଜିନପିଙ୍ଗଙ୍କ ଭେଟରୁ ସେଭଳି କିଛି ଶୁଭସଂକେତ ମିଳିବାର ସମ୍ଭାବନା ନାହିଁ । ତଥାପି ସ୍ୱପ୍ନ ଦେଖିବାରେ ପଇସା ଦେବାକୁ ପଡେ଼ନା ।