ଜହ୍ନରାଇଜରେ ଆମେ: ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଅବତରଣ କରିବୁ

ନୂଆଦିଲ୍ଲୀ: ରୁଷିଆର ଲୁନା ୨୫ ଚନ୍ଦ୍ରପୃଷ୍ଠରେ ପିଟି ହୋଇ ଧ୍ୱଂସ ପାଇଗଲା । ମାତ୍ର ଆମେ ଯେକୌଣସି ପରିସ୍ଥିତିରେ ଚନ୍ଦ୍ରରେ ଅବତରଣ କରିବୁ । ଆମ କାମ ସାରି ଫେରିବୁ ବୋଲି ସୋମବାର ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ବୈଜ୍ଞାନିକ ଦୃଢ଼ତାର ସହ କହିଛନ୍ତି । ସଂପୃକ୍ତ ବୈଜ୍ଞାନିକଙ୍କ ମତରେ ଅଗଷ୍ଟ ୨୩ ତାରିଖ ଦିନ ଚନ୍ଦ୍ରଯାନ ସଫଳତାର ସହିତ ଅବତରଣ କରି ନପାରିଲେ, ଅଗଷ୍ଟ ୨୭ ତାରିଖ ଦିନ ଶେଷ ପ୍ରୟାସ କରିବୁ । ତେବେ ସେ ସଂପର୍କରେ ଆମେ ଏବଠାରୁ କୌଣସି ନିଷ୍ପତି ଗ୍ରହଣ କରି ପାରିବୁନି ।
ନିର୍ଦ୍ଧାରିତ ସମୟର ଦୁଇଘଂଟା ପୂର୍ବରୁ ଆମେ ନିଷ୍ପତି ନେବୁ । ଏହି ସୂଚନା ଦେଇଛନ୍ତି ଇସ୍ରୋ ନିର୍ଦ୍ଦେଶକ ନିଲେଶ ଏମ୍‌ ଦେଶାଇ ।

ସୂଚନାଯୋଗ୍ୟ, ଆସନ୍ତାକାଲି ସନ୍ଧ୍ୟା ୬.୦୪ ମିନିଟରେ ଲ୍ୟାଣ୍ଡର ବିକ୍ରମ ଜହ୍ନରେ ପ୍ରଥମଥର ପାଇଁ ଅବତରଣ କରିବ। ଜହ୍ନରେ ଭାରତ ଲେଖିବ ନାଁ, ଶେଷ ୨୦ ମିନିଟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଏଥିପାଇଁ ଆଜି ଠାରୁ ସବୁଠି ଉତ୍କଣ୍ଠା ଓ ଉତ୍ସାହ ଦେଖିବାକୁ ମିଳିଛି।