ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ପାଣି ଗଳିବା ଜରୁରୀ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍): ଆପଣମାନେ ସମସ୍ତେ ମହାପ୍ରଭୁ ଲିଙ୍ଗରାଜଙ୍କ ରାଗ ସଂପର୍କରେ ଜାଣନ୍ତି । ରାଗିବେନି ରାଗିବେନି । ରାଗିଗଲେ ଥଣ୍ଡା ପଡ଼ିବେନି । ଥଣ୍ଡା ପଡ଼ିବାକୁ ହେଲେ ମା’ ପାର୍ବତୀଙ୍କୁ କେତେ ମେହେନତ କରିବାକୁ ପଡ଼ିବ? ସେ କଥା ମା’ ଜାଣନ୍ତି । ତେଣୁ ମନ୍ଦିରରେ ପାଣି ଗଳିବା ଜରୁରୀ । ପାଣି ଗଳୁଥିବା ପର୍ଯ୍ୟନ୍ତ ମହାପ୍ରଭୁ ବେଶ ଥଣ୍ଡା ମିଜାଜରେ ରହିଥିବେ । ଏମିତି ଚୁଟୁକୁଲା ଶୁଣିବାକୁ ମିଳୁଛି ଲିଙ୍ଗରାଜ ସେବାୟତଙ୍କ ମୁହଁରୁ ।

କଥା କ’ଣ ପଚାରି ବୁଝିଲା ବେଳକୁ ଜଣାପଡ଼ିଲା ଯେ ୬୦ ଲକ୍ଷ ଟଙ୍କାର ମରାମତି କରାଯାଇଥିଲେ ମଧ୍ୟ ଲିଙ୍ଗରାଜ ମନ୍ଦିରରେ ବର୍ଷାପାଣି ଗଳୁଛି । ଲିଙ୍ଗରାଜ ମନ୍ଦିରରେ ପାଣି ଗଳୁଥିବା ଲକ୍ଷ୍ୟ କରି ସରକାର ୧ କୋଟି ୨୦ ଲକ୍ଷ ଟଙ୍କା ମଂଜୁର କରିଥିଲେ । ସେଥିରୁ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଅବଶିଷ୍ଟ ଟଙ୍କା ତହବିଲକୁ ଫେରାଇ ଦିଆଯାଇଛି । ଟଙ୍କା ଫେରାଇ ଦିଆଗଲା ଭଲ ହେଲା । ହେଲେ ଲିଙ୍ଗରାଜ ମନ୍ଦିରରୁ ପାଣି ଗଳିବା ବନ୍ଦ ହେଲାନି ।

କୁହାଯାଉଛି, ସରକାରୀ ଅଧିକାରୀଙ୍କ ବେପରୁଆ କାରଣରୁ ୬୦ ଲକ୍ଷ ଟଙ୍କା ପାଣିରେ ପଡ଼ିଗଲା । ଏବେ ବର୍ଷା ହେଲେ ସିଂହଦ୍ୱାର ନିକଟରେ ପାଣି ଜମୁଛି । ଏବେ ପ୍ରଶ୍ନ ଉଠୁଛି, ସବୁ ଟଙ୍କା କାମରେ ଲାଗିଥିଲେ ବୋଧହୁଏ ପାଣି ଗଳିବା ବନ୍ଦ ହୋଇଥାନ୍ତା ।