କ’ଣ କଲା ସେ? ଅଭିନୟ ଭିତରେ ସରକାରଙ୍କୁ ସରୁ ଚଟକଣି

କୋରାପୁଟ: ‘ଆମ ଗାଁକୁ ରାସ୍ତା ନାହିଁ । ପିଇବାକୁ ପାଣି ନାହିଁ । ଚୁଆପାଣି ପିଉଛୁ । ଖଟିଆରେ ଡାକ୍ତରଖାନାକୁ ଯାଉଛୁ । ଆମେ ଜମାରୁ ଖୁସିରେ ନାହୁଁ । ଭଗବାନଙ୍କୁ ଆଶ୍ରା କରି ବଡ଼ କଷ୍ଟରେ ରହୁଛୁ ।’ ସ୍ୱାଧୀନତା ଦିବସ ପାଳନ ଦିନ କୁନିଝିଅଟିର କୁନି ଓଠରୁ ଏହିଭଳି କିଛି କଥା ଶୁଣି ମୋହନଦାସ କରମଚାନ୍ଦ ଗାନ୍ଧୀ ତଥା ଆମର ପ୍ରିୟ ବାପୁଜୀ ବଡ଼ଖୁସି ଅନୁଭବ କରିଥିବେ । ବିଜୁବାବୁ ପୁଅ ନବୀନ ପଟ୍ଟନାୟକଙ୍କୁ ସାବାସି ଦେଇଥିବେ । ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି ପକାଉଥିବା ଖବରକାଗଜଗୁଡ଼ିକ ବେଶ ଆତ୍ମଗର୍ବରେ ଫାଟି ପଡୁଥିବେ । ସବୁଠାରୁ ବଡ଼କଥା ହେଉଛି, ନବୀନ ପଟ୍ଟନାୟକଙ୍କ ବିଫଳତାକୁ ଖୋଲାଖୋଲି ସମାଲୋଚନା କରିବାର ସତସାହସ ହରାଇଥିବା ଗଣମାଧ୍ୟମ ପାଇଁ ଉଦାହରଣ ପାଲଟିଛି କୋରାପୁଟର କୁନିଝିଅ । ଖାଲି ସେତିକି ନୁହେଁ, ନବୀନଙ୍କ କ୍ୟାବିନେଟର ଟାଣୁଆ ମନ୍ତ୍ରୀ ରଣଇନ୍ଦ୍ର ପରତାପ ସ୍ୱାଇଁ ଓ ଜିଲ୍ଲାପାଳ ମହମ୍ମଦ ଅଖତରଙ୍କ ପାରିପାପଣିଆକୁ ବେଶ ସଚ୍ଚୋଟତାର ସହିତ ଉପସ୍ଥାପନ କରିପାରିଛି କୁନିଝିଅଟି ।

ମନେ ପଡ଼ିଯାଉଛି କବି ଯଦୁମଣିଙ୍କ ହାସ୍ୟ ରସାତ୍ମକ କବିତାର କିଛି ଅଂଶ । କଥା କ’ଣ କି? କବି ଯଦୁମଣିଙ୍କର ଚଳଣି ପାଇଁ କିଛି ଜମିବାଡ଼ି ନଥିବାର ଜାଣି ରାଜା ତାଙ୍କୁ ଗୋଟିଏ ଜମି ଦେବାକୁ ଅମାତ୍ୟଙ୍କୁ ଆଦେଶ ଦେଲେ । ରାଜାଙ୍କ ଆଦେଶକୁ ମୁଣ୍ଡ ଟୁଙ୍ଗାରି ସମ୍ମତି ଜଣାଇଥିବା ଅମାତ୍ୟଟି କବି ଯଦୁମଣିଙ୍କୁ ଜମି ଦେବା ପାଇଁ ସେତେ ମନଧ୍ୟାନ ଦେଲେ ନାହିଁ । ଯଦୁମଣି ମଧ୍ୟ ଅମାତ୍ୟଙ୍କ ଟାଳଟୁଳ ନୀତି ବିରୋଧରେ ରାଜାଙ୍କୁ ଜଣାଇଲେ ନାହିଁ । ଦରବାରର ସବୁ ଅମାତ୍ୟଙ୍କ ମୁହଁରୁ ନିୟମିତ ପ୍ରଶଂସା ଶୁଣି ରାଜା ଭାରି ଖୁସି ଅନୁଭବ କରୁଥାନ୍ତି । ରାଇଜର ବିଭିନ୍ନ ଅଂଚଳକୁ ଗସ୍ତ କଲାବେଳେ ଲୋକଙ୍କୁ ପଚାରୁଥାନ୍ତି, ଆପଣମାନେ ଖୁସି ତ? ମୁଁ ଭାରି ଖୁସି । ଏମିତି ଦିନେ ହାତୀପିଠିରେ ବସି ରାସ୍ତାରେ ଯାଉଥିବା ବେଳେ ରାଜାଙ୍କ ଆଖିରେ ପଡ଼ିଗଲେ କବି ଯଦୁମଣି । କବିଙ୍କୁ ଦେଖି ରାଜା ବଡ଼ ଶରଧାରେ ପଚାରିଦେଲେ, ‘ଯଦୁମଣି । ଜମିରେ କ’ଣ ଚାଷ କରିଛ? କାଲି ଦରବାରକୁ ନେଇକି ଆସ ।’ ରାଜାଙ୍କ ମୁହଁରୁ ଏମନ୍ତ କଥା ଶୁଣି ଯଦୁମଣି ଚଟାପଟ ଜବାବ ଦେଲେ, ‘ଛାମୁ ଯାହା ଦେଲେ ହରଷେ । ପାଉ ପାଉ ଗଲା ବରଷେ । ଏମନ୍ତ ଭୂଇଁ । ଚାଖୁଣ୍ଡା ବୁଣିଲେ ଉଠଇ ନାହିଁ ।’ ଯଦୁମଣିଙ୍କ ମୁହଁରୁ ଏଭଳି କବିତା ଶୁଣି ରାଜାଙ୍କ ମୁହଁ ଶୁଖିଗଲା । ସେ ଅମାତ୍ୟଙ୍କ ମୁହଁକୁ ଚାହିଁଲେ । ୟା’ ପରକଥା କହିବା ଦରକାର ନାହିଁ ।

ଦଳର ବିଧାୟକ ଓ ମନ୍ତ୍ରୀଙ୍କ କାମଦାମ ଉପରେ ଭରସା ରଖି ପାରୁ ନଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କୁ ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀକୁ ପଠାଇ ବିକାଶର ଯୋଉ ମହାନାଟକ ଜାରି ରଖିଛନ୍ତି । ଦଶମନ୍ତପୁର ବ୍ଲକ ଲୁଲା ପଂଚାୟତ ପଦଗୁଡ଼ା ଗାଁର କୁନିଝିଅଟି ତା’ର ବିକଳ ଚେହେରା ଦେଖାଇଦେଇଛି । ସାବାସ କୁନିଝିଅ । ତମକୁ ସଲାମ । ରାଜ୍ୟ ସରକାରଙ୍କ ବିକାଶର ବିକଳ ଚେହେରାକୁ ଗୀତ ମାଧ୍ୟମରେ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀଙ୍କୁ ସରୁ ଚଟକଣିଟିଏ ପକାଇବାର ସାହସ ଦେଖାଇଛ ।

ଏବେ ପଦଗୁଡ଼ା ଗାଁର ସମସ୍ୟା ଜାଣନ୍ତୁ । ଗାଁରେ ୬୬ରୁ ଅଧିକ ଜନଜାତି ପରିବାର ରହୁଛନ୍ତି । ଗାଁକୁ ଯିବା ପାଇଁ ରାସ୍ତାଟିଏ ନାହିଁ । ଲୁଲା ପଂଚାୟତରୁ ଗାଁକୁ ଯିବା ପାଇଁ ତିନି କିଲୋମିଟର ବିଶିଷ୍ଟ ପାହାଡ଼ିଆ ରାସ୍ତା ପଡ଼ିଛି । ସରକାରଙ୍କ ଭାଷାରେ ବିଶୁଦ୍ଧ ପାଣି ଟୋପେ ମିଳୁନି ସେଠାକାର ଅଧିବାସୀଙ୍କୁ । ସବୁ ପରିବାର ଚୁଆପାଣି ଉପରେ ନିର୍ଭର କରୁଛନ୍ତି । ସ୍ୱାଧିନତାର ୭୬ ବର୍ଷର କଥା ଛାଡ଼ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅମଳରେ କୌଣସି ଜିଲ୍ଲାପାଳ ଉକ୍ତ ଗାଁକୁ ନିକଟରୁ ଦେଖିବାକୁ ଆଗ୍ରହ ପ୍ରକାଶ କରିନାହାନ୍ତି । ଗ୍ରାମର କେହି ରୋଗରେ ପଡ଼ିଲେ, ଖଟିଆରେ ବୁହା ହୋଇ ଡାକ୍ତରଖାନାକୁ ଯାଉଛନ୍ତି । ଗାଁ ଲୋକଙ୍କ ପାଇଁ ବିଜୁଳି ସେବା ସ୍ୱପ୍ନ । ପ୍ରାଥମିକ ଶିକ୍ଷା ପାଇଁ ଅଙ୍ଗନବାଡ଼ି ନାହିଁ । ସବୁ ନାହିଁ ଭିତରେ ଥାଇ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାକୁ ଅପେକ୍ଷା କରିଛନ୍ତି ସଂପୃକ୍ତ ଅଂଚଳର ଅଧିବାସୀ ।