ପୋଷ୍ୟ ସନ୍ତାନଙ୍କୁ ମିଳିବ ଅନୁକମ୍ପା ମୂଳକ ଚାକିରି, ହାଇକୋର୍ଟ ନେଲେ ଐତିହାସିକ ନିଷ୍ପତ୍ତି

ପୋଷ୍ୟ ସନ୍ତାନଙ୍କୁ ମିଳିବ ଅନୁକମ୍ପା ମୂଳକ ଚାକିରି, ହାଇକୋର୍ଟ ନେଲେ ଐତିହାସିକ ନିଷ୍ପତ୍ତି

ଓଡ଼ିଶା ହାଇକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କର ପତ୍ନୀ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବା ପୁଅଙ୍କୁ ମିଳିପାରିବ ଅନୁକମ୍ପାମୂଳକ ନିଯୁକ୍ତି । ମୃତ ସରକାରୀ କର୍ମଚରୀଙ୍କ ପତ୍ନ୍ୟ ପୋଷ୍ୟ ଭାବେ ଗ୍ରହଣ କରିଥିବା ପୁଅଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ସପକ୍ଷରେ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ) ୨୦୧୫, ସେପ୍ଟେମ୍ବର ୨୯ରେ ପ୍ରଦାନ କରିଥିବା ନିଷ୍ପତ୍ତିକୁ ରାଜ୍ୟ ହାଇକୋର୍ଟ ବଳବତ୍ତରନ ରଖିଛନ୍ତି ।

ତେବେ ଏହି ମାମଲାରେ ସ୍ୟାଟ ରାୟ ବିରୋଧରେ ରାଜ୍ୟ ସରକାରଙ୍କ ତରଫରୁ ଦାୟର କରାଯାଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ବିାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଗୌରୀ ଶଙ୍କର ଶତପଥୀଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଏଥିସହିତ ଆସନ୍ତା ୪ ସପ୍ତାହ ମଧ୍ୟରେ ସ୍ୟାଟ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଓସିଏସ (ଆରଏ) ନିୟମାବଳୀ, ୧୯୯୦ ଅନୁସାରେ ପଞ୍ଜିକୃତ ଦଲିଲ ମାଧ୍ୟମରେ ଆଇନ ଅନୁଯାୟୀ, ପୋଷ୍ୟ ଭାବେ ଗ୍ରହଣ କରାଯାଇଥିବା ପୁଅ ଅନୁକମ୍ପାମୂଳକ ନିଯୁକ୍ତି ପାଇପାରିବେ । ତେବ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ପଞ୍ଜିକୃତ ହୋଇଥିବା ପୋଷ୍ୟ ସନ୍ତାନଙ୍କ ଦଲିଲକୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ବେଳେ ବିଚାରକୁ ନିଆଯିବ ନାହିଁ । ସାଧାରଣ ପ୍ରଶାସନ ବିଭାଗ ଜାରି କରିଥିବା ୧୯୯୬, ଅକ୍ଟୋବର ୧୦ର ଆଦେଶପତ୍ର ଆଇନ ଅନୁଯାୟୀ ଗ୍ରହଣୀୟ ନୁହେଁ ବୋଲି କୋର୍ଟ କହିବା ସହ ତାହାକୁ ରଦ୍ଦ କରିଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ବାଲିଗୁଡ଼ା ବ୍ଲକ ଶିକ୍ଷାଧିକାରୀ (ବିଇଓ)ଙ୍କ ଅଧିନ କେଟିଙ୍ଗା ୟୁପି ସ୍କୁଲରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ୱିଲିୟମ ସିଂହଙ୍କର ୧୯୯୨ ମସିହା ଏପ୍ରିଲ ୯ରେ ପରଲୋକ ଘଟିଥିଲା । ପତିଙ୍କ ମୃତ୍ୟୁ ପରେ ପତ୍ନୀ ନିରଞ୍ଜନା ସିଂ ଜଣଙ୍କୁ ପୋଷ୍ୟ ପୁତ୍ର ଭାବେ ଗ୍ରହଣ କରି ଦଲିଲ ପଞ୍ଜିକରଣ କରାଇଥିଲେ । ଏହାପରେ ସେ ପୋଷ୍ୟ ପୁତ୍ରଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଆବେଦନ କରିବା ପରେ ସହକାରୀ ଶିକ୍ଷକ ଭାବେ ନିଯୁକ୍ତି ମିଳିଥିଲା । ପରବର୍ତ୍ତୀ ସମୟରେ ପୁତ୍ରଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା । ତେଣୁ ଏନେଇ ଏକ ମାମଲା ଦାୟର ହୋଇଥିଲା ।