ଶିଶୁ ଦିବସରେ ଶିଶୁ ଶ୍ରମମୁକ୍ତ ସମାଜ ଗଠନ ପାଇଁ ସମୂହ ଶପଥ

ପିଏମ୍ ଶ୍ରୀ ବିଦ୍ୟାଳୟରେ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି, ସାଂସ୍କୃତିକ କାର୍ଯ୍ୟକ୍ରମରେ ଝଲସିଲେ ଛାତ୍ରଛାତ୍ରୀ

ରାୟଗଡ଼ା/ରାମନାଗୁଡ଼ା(ସାକ୍‌ସୀ ନ୍ୟୁଜ୍‌): ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିବସ ଅବସରରେ ରାମନାଗୁଡ଼ାସ୍ଥିତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶୁକ୍ରବାର ଶିଶୁ ଦିବସ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି ।କାର୍ଯ୍ୟକ୍ରମ ଆରମ୍ଭରେ ଶିଶୁଙ୍କ ପ୍ରିୟ ଚାଚା ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ବେହେରା ଯୋଗଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଗୌରୀ ପ୍ରସାଦ ପଣ୍ଡା ଶିଶୁଙ୍କ ଅଧିକାର, ଶିକ୍ଷା, ସୁରକ୍ଷା ଓ ସର୍ବାଙ୍ଗୀଣ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, କୌଣସି ଶିଶୁ ଶିକ୍ଷାରୁ ବଞ୍ଚିତ ହେବା ଉଚିତ୍ ନୁହେଁ, କି ଶ୍ରମ କ୍ଷେତ୍ରରେ ନିୟୋଜିତ ହେବା ଉଚିତ୍ ନୁହେଁ ।

ଏହା ପରେ ଶିଶୁ ଶ୍ରମ ପ୍ରଥାର ସମ୍ପୂର୍ଣ୍ଣ ଉଚ୍ଛେଦ ଓ ଶିଶୁ ଶ୍ରମମୁକ୍ତ ସମାଜ ଗଠନ ପାଇଁ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନେ ସମୂହ ଶପଥ ପାଠ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଛାତ୍ରଛାତ୍ରୀମାନେ ନୃତ୍ୟ, ସଙ୍ଗୀତ ଓ କଳାତ୍ମକ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲେ। ସେମାନଙ୍କ ପ୍ରତିଭା, ସୃଜନଶୀଳତା ଓ ଆତ୍ମବିଶ୍ୱାସ ସମସ୍ତଙ୍କୁ ମୁଗ୍ଧ କରିଥିଲା। ଶିଶୁମାନେ ହିଁ ଦେଶର ଭବିଷ୍ୟତ। ସେମାନଙ୍କୁ ଉପଯୁକ୍ତ ଶିକ୍ଷା, ସୁରକ୍ଷା, ସ୍ନେହ ଓ ସୁଯୋଗ ଦେବା ଆମ ସମସ୍ତଙ୍କ ସାମୂହିକ ଦାୟିତ୍ୱ — ଏହି ବାର୍ତ୍ତା ସହ କାର୍ଯ୍ୟକ୍ରମ ଆନନ୍ଦମୟ ପରିବେଶରେ ଶେଷ ହୋଇଥିଲା ।