ବିଗତ କିଛିଦିନ ଧରି ଦେଶରେ ହୃଦଘାତଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଥିବା ଖବରକୁ ଗଣମାଧ୍ୟମ ସର୍ବାଧିକ ଗୁରୁତ୍ୱ ଦେଇଆସୁଛି । ବିଶେଷ କରି ଜିମ୍ରେ ବ୍ୟାୟାମ କରୁଥିବା କିଛି ସେଲିବ୍ରିଟିଙ୍କ ଆକସ୍ମିକ ମୃତ୍ୟୁ ଅନେକଙ୍କୁ ଚିନ୍ତାରେ ପକାଇଛି । ଲୋକପ୍ରିୟ ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବ ବ୍ୟାୟାମଶାଳାରେ ଅଭ୍ୟାସ ସମୟରେ ଦୃଦଘାତର ଶିକାର ହୋଇଥିଲେ । ଲୋକପ୍ରିୟ ଟିଭି ତାରକା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ ଜିମ୍ ଖାନାରେ ବ୍ୟାୟାମ କରୁଥିବା ସମୟରେ ହୃଦଘାତର ଶିକାର ହେଲେ, ମାତ୍ର କେଇ ସେକେଣ୍ଡ ଭିତରେ ତାଙ୍କର ପ୍ରାଣବାୟୁ ଚାଲିଗଲା ।
ଗାଜିୟାବାଦରେ ୩୫ ବର୍ଷୀୟ ବ୍ୟାୟାମ ପ୍ରଶିକ୍ଷକ ହୃଦଘାତର ଶିକାର ହୋଇ ପ୍ରାଣ ହରାଇଥିଲେ । ସେହିପରି ଜଣେ ଯୁବକ ବ୍ୟାୟାମଶାଳାରୁ ଘରେ ପହଂଚିବାର କେଇ ସେକେଣ୍ଡ ଭିତରେ ଛାତିରେ ଯନ୍ତ୍ରଣା ଅନୁଭବ କରି ସିଢ଼ିରୁ ଖସିପଡ଼ିଲେ, ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଗଲା । ଲୋକଙ୍କ ମନରେ ହୃଦଘାତଜନିତ ମୃତ୍ୟୁର ଭୟ କ୍ରମେ ବସା ବାନ୍ଧିଲାଣି ।
ପରିଣାମ ସ୍ୱରୂପ ଅଧିକାଂଶ ଜିମ୍ରେ ଲୋକଙ୍କ ସଂଖ୍ୟା କମିବାକୁ ଲାଗିଲାଣି । ଲୋକମାନେ ଜାଣିବାକୁ ଚାହୁଁଛନ୍ତି ଯେ ସୁସ୍ଥ ଶରୀର ପାଇଁ ନିୟମିତ ଯୋଗ ଓ ବ୍ୟାୟାମ କରିବାକୁ ଡାକ୍ତରମାନେ ପରାମର୍ଶ ଦେଉଥିବା ବେଳେ ଜିମ୍ ଖାନାରେ ହୃଦଘାତ ଘର କଲାଣି । ଏଭଳି ସମୟରେ ବ୍ୟାୟାମଶାଳାରେ ହୃଦଘାତ କାରଣ କ’ଣ? ହୃଦରୋଗ ବିଶେଷଜ୍ଞ ଡକ୍ଟର ଚନ୍ଦ୍ରଶେଖର କହନ୍ତି, ଭାରତରେ ହୃଦଘାତ କାରଣରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି, ମାତ୍ର ସେମାନଙ୍କ ଭିତରେ ୩୦-୪୦ ବର୍ଷ ବୟସର ଲୋକଙ୍କର ହୃଦଘାତଜନିତ ମୃତ୍ୟୁସଂଖ୍ୟା ସେତେ ଅଧିକ ନାହିଁ ।
କରୋନା ପ୍ରଭାବରୁ ଲୋକଙ୍କ ଧମନୀରେ ରକ୍ତ ପ୍ରବାହ କ୍ରମେ ଶିଥିଳ ହୋଇଯାଇଛି । ରକ୍ତର ଗତି ଶିଥିଳତା କାରଣରୁ ଅଧିକାଂଶ ଲୋକ ହୃଦଘାତଜନିତ ବେମାରରେ ପଡୁଛନ୍ତି । କରୋନା ସମୟରେ ଲୋକଙ୍କର ନିୟମିତ ସକାଳବୁଲା, ସନ୍ତୁଳିତ ଖାଦ୍ୟପାନୀୟ, ଦୈନନ୍ଦିନ ଜୀବନଶୈଳୀ ବାଧାପ୍ରାପ୍ତ ରହିଲା । ରୋଜଗାର ବାଟ ବନ୍ଦ ହୋଇଯିବାରୁ ଅଧିକାଂଶ ଲୋକ ପରିବାର ପ୍ରତିପୋଷଣ ଚିନ୍ତାରେ ବୁଡ଼ି ରହିଲେ ।
ବ୍ୟବସାୟରେ କ୍ଷତି ଓ ଚାକିରି ହରାଇବା କାରଣରୁ ଲୋକମାନେ ମାନସିକ ଚିନ୍ତାଗ୍ରସ୍ତ ରହି ହୃଦଘାତକୁ ଆମନ୍ତ୍ରଣ କରୁଛନ୍ତି । କରୋନା ସଂକ୍ରମଣ କମିଛି ମାତ୍ର ଲୋକଙ୍କର ମାନସିକ ଚିନ୍ତା ଲାଘବ ହୋଇନି । ମାନସିକ ଚାପରୁ ମୁକ୍ତ ହେବାର ବିକଳ୍ପ ନଜାଣି ଲୋକମାନେ ଧୂମପାନ ଓ ନିଶାସେବନ କରୁଛନ୍ତି ।
କରୋନା କାରଣରୁ ଏକେ ତ କ୍ଷୀଣକାୟ ଶରୀର, ଦ୍ୱିତୀୟରେ ଅତ୍ୟଧିକ ଧୂମପାନ ଓ ନିଶାପାଣି ସେବନ ହୃଦଘାତର ଅନ୍ୟ ଏକ କାରଣ । ସରଳ ଭାଷାରେ କହିଲେ, ଦୀର୍ଘ ୨-୩ ବର୍ଷ ଧରି ନିୟମିତ ବ୍ୟାୟାମ କରୁଥିବା ବ୍ୟକ୍ତି ବା ମହିଳା ଆରାମରେ ୫ କିଲୋମିଟର ଦୌଡ଼ି ପାରିବେ । ମାତ୍ର ସାଧାରଣ ଲୋକ ପକ୍ଷେ ୫ କିଲୋମିଟର ଦୌଡ଼ିବା କଷ୍ଟକର ବ୍ୟାପାର ନିଶ୍ଚିତ । ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଆବଶ୍ୟକଠାରୁ ଅଧିକ ବ୍ୟାୟାମ ସର୍ବଦା କ୍ଷତିକାରକ ।