ଦୁଃଖ ଦୂର କରିବାର ଉପାୟ

ସଂସାରରେ ଅତ୍ୟଧିକ ଦୁଃଖ ବି ଅସହ୍ୟ , ଅତ୍ୟଧିକ ସୁଖ ବି ଅସହ୍ୟ କିନ୍ତୁ..

୧. ସଂସାରର ଯେ କୌଣସି ବସ୍ତୁ ପ୍ରତି ଆମେ ଆକର୍ଷିତ ହେବା, ସେଠାରୁ ଆମେ ଦୁଃଖ ହିଁ ପାଇବା କାରଣ ସଂସାର ଦୁଃଖର ଘର ଅର୍ଥାତ ଦୁଃଖାଳୟ ଅଟେ । ଏଠାରେ ସମସ୍ତେ ସୁଖର ଆଶା କରନ୍ତି କିନ୍ତୁ ଏଠାରେ ସୁଖ ହିଁ ନାହିଁ ।

ତେବେ ଆପଣ କହିବେ , ସୁଖ ଯଦି ନାହିଁ , ତେବେ ସଂସାରରେ ନ ରହି ସନ୍ନ୍ୟାସୀ ହୋଇଯିବା । ନା , ବିଲକୁଲ ନୁହେଁ । ସଂସାରରେ ରହିବା କିନ୍ତୁ ସଂସାରକୁ ନିଜ ଭିତରେ ରହିବାକୁ ଦେବା ନାହିଁ । ଯେପରି ପାଣିରେ ନୌକା ଭାସେ କିନ୍ତୁ ନୌକା ଭିତରକୁ ଯଦି ଜଳ ପ୍ରବେଶ କରେ , ତେବେ ଅବସ୍ଥା କଣ ହେବ ? ନୌକା ବୁଡ଼ିଯିବ । ସେହିପରି ସଂସାରରେ ରହି ସବୁ ସମ୍ବନ୍ଧ ଠିକ ଭାବରେ ରକ୍ଷା କରନ୍ତୁ କିନ୍ତୁ କାହାଠାରୁ କିଛି ଆଶା କରନ୍ତୁ ନାହିଁ ।

୨. ସଂସାର ପ୍ରତି ଆଶା ହିଁ ଦୁଃଖର କାରଣ ଅଟେ। ଆମେ ଯାହା ଆଶା କରୁ , ଯଦି କୌଣସି କାରଣରୁ ତାହା ପୂରଣ ନ ହୁଏ , ତେବେ ଆମକୁ ଦୁଃଖ ହୁଏ । ସେଥିପାଇଁ ସନ୍ଥ କହିଛନ୍ତି , କେବଳ ଭଗବାନଙ୍କ ପ୍ରତି ଆଶା ରଖ , ଅନ୍ୟ ସବୁ ଆଶା ଛାଡିଦିଅ ଓ କେବଳ ଭଗବାନଙ୍କ ସହିତ ସମ୍ପର୍କ ରଖ , ଅନ୍ୟ ସବୁ ସମ୍ପର୍କ ତୁଟାଇଦିଅ ।

୩. ଏହି ସଂସାରରେ କେହି ହେଲେ ଗରିବ ନୁହନ୍ତି । ପରମ ପିତା ପରମେଶ୍ୱର ପ୍ରତ୍ୟେକ ମନୁଷ୍ୟର ହୃଦୟରେ ଆଶୀର୍ବାଦର ବହୁମୂଲ୍ୟ ହୀରା ମୋତି ଭରିଦେଇଛନ୍ତି । ଏହି ସଂସାରକୁ ଆସି ମନୁଷ୍ୟ ଅନ୍ୟ ସବୁ କାର୍ଯ୍ୟରେ ମାତି ଜୀବନ ନଷ୍ଟ କରିବାରେ ଲାଗିପଡିଛି କିନ୍ତୁ ନିଜ ହୃଦୟରେ ଭରି ହୋଇ ରହିଥିବା ହୀରା ମୋତି ରୂପକ ସ୍ନେହ , ମମତା , ଭକ୍ତିର ପୋଟଳି ଖୋଲିବାକୁ ଭୁଲିଯାଉଛି । ଏହି କାରଣରୁ ସବୁ କିଛି ଥାଇ ମଧ୍ୟ ମନୁଷ୍ୟ କାଙ୍ଗାଳ ହୋଇ ରହିଯାଉଛି । କହିବାର ତାପ୍ତର୍ଯ୍ୟ ଏହି ଯେ ଆମେ ସବୁ ମାୟା ଦ୍ୱାରା ଆବୃତ୍ତ ହୋଇ ସଂସାର ସହିତ ଜଡିତ ହୋଇରହିଛୁ ଏବଂ ମାୟା ଆମକୁ ଯେମିତି ନଚାଉଛି, ଆମେ ନାଚି ଚାଲିଛୁ । ସେଥିରୁ ମୁକୁଳିଲେ ତ ଆମେ ଆନନ୍ଦକୁ ପାଇବା !

୪.ଗୀତାରେ ଅର୍ଜୁନ ଭଗବାନଙ୍କୁ ପଚାରିଲେ , “କୌଣସି ମନୁଷ୍ୟ ପାପ କରିବାକୁ ଚାହେଁ ନାହିଁ, କିନ୍ତୁ ସେ ପୁଣି କାହାର ପ୍ରେରଣାରେ ପାପ କରିଥାଏ “? ଉତ୍ତରରେ ଭଗବାନ କାମନାକୁ ହିଁ ପାପର କାରଣ ବୋଲି ବୁଝାଇଲେ । ଯେତେ ସବୁ ବ୍ୟକ୍ତି କାରାଗାରରେ ଅଛନ୍ତି , ଯେଉଁମାନେ ସବୁ ସଂସାରରେ ରହି ମଧ୍ୟ ନରକ ଯନ୍ତ୍ରଣା ଭୋଗୁଛନ୍ତି, ଇଚ୍ଛା ନକରି ମଧ୍ୟ ପାପାଚାରରେ ଲିପ୍ତ ଅଛନ୍ତି ଓ ଯେଉଁମାନଙ୍କ ଚିତ୍ତରେ ଦୁଃଖର କାଳିମା ଛାଇରହିଛି , ସେ ସବୁର କାରଣ କାମନା ହିଁ ଅଟେ । କାମନା ପ୍ରତି ମୁହୂର୍ତ୍ତରେ ଦୁଃଖର ଅନୁଭବ କରାଏ – ଯେପରି ପୁତ୍ର ପ୍ରାପ୍ତି ନ ହେଲେ ପୁତ୍ର ଲାଳସାର ଦୁଃଖ , ପୁତ୍ର ଜନ୍ମ ହେଲେ ତାର ପାଳନ ପୋଷଣ,ଶିକ୍ଷା,ବିବାହ ଇତ୍ୟାଦି ଚିନ୍ତାରେ ଦୁଃଖ ଓ ମୃତ୍ୟୁ ହୋଇଗଲେ ପୁତ୍ର ଅଭାବର ଦୁଃଖ ହୋଇଥାଏ ।

୫. ଅତଏବ ଯେଉଁପରି ଆଶା ବା କାମନା ପରମ ଦୁଃଖର କାରଣ ଠିକ ସେହିପରି ତାର ବିପରୀତ ନିରାଶା ବା ବୈରାଗ୍ୟ ପରମ ସୁଖ ଅଟେ । ସ୍ତ୍ରୀ , ପୁତ୍ର , ପରିବାର – ସମସ୍ତେ ଆଜ୍ଞାକାରୀ ହେଲେ ମଧ୍ୟ ସୁଖ ମିଳେ ନାହିଁ । ସୁଖ ତ କାମନାର ତ୍ୟାଗରେ ହିଁ ପ୍ରାପ୍ତ ହୁଏ।

ସଂସାରରେ ଅତ୍ୟଧିକ ଦୁଃଖ ବି ଅସହ୍ୟ , ଅତ୍ୟଧିକ ସୁଖ ବି ଅସହ୍ୟ କିନ୍ତୁ ଯିଏ ଥରେ ପରମାତ୍ମାଙ୍କ ଆଶ୍ରିତ ହୋଇଗଲା , ସେ ସୁଖ ଓ ଦୁଃଖ ଦୁଇଟିଯାକ ପାର ହୋଇଗଲା ଓ ପରମାନନ୍ଦରେ ସ୍ଥିତ ହୋଇଗଲା।