୨୦୨୪-୨୫ ନିର୍ବାଚନ ବର୍ଷ: ଆୟବ୍ୟୟରେ ବିଜେପି ଆଗୁଆ

ନିର୍ବାଚନ ସରିବା ପରେ ଚର୍ଚ୍ଚାକୁ ଆସିଥାଏ କେଉଁ ଦଳ ….

ନୂଆଦିଲ୍ଲୀ: ନିର୍ବାଚନ ସରିବା ପରେ ଚର୍ଚ୍ଚାକୁ ଆସିଥାଏ କେଉଁ ଦଳ କେତେ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଆଉ ଏହି ରିପୋର୍ଟ ସବୁବେଳେ ଚମକାଇ ଦେଲା ପରି ଆସିଥାଏ। ୨୦୨୪-୨୫ ନିର୍ବାଚନ ବର୍ଷକୁ ନେଇ ଯେଉଁ ରିପୋର୍ଟ ଆସିଛି ତାହା ବି ଚମକାଇ ଦେଲା ପରି ରହିଛି। ନିର୍ବାଚନ ବର୍ଷ ୨୦୨୪-୨୫ ରେ, ଭାରତୀୟ ଜନତା ପାର୍ଟି ଖର୍ଚ୍ଚ ଏବଂ ଆୟକୁ ନେଇ ଏକ ନୂତନ ରେକର୍ଡ ସ୍ଥାପନ କରିଛି। ନିର୍ବାଚନ କମିଶନଙ୍କୁ ପ୍ରଦାନ କରାଯାଇଥିବା ଅଡିଟ୍‌ ରିପୋର୍ଟ ଅନୁଯାୟୀ, ଏହି ସମୟ ମଧ୍ୟରେ ବିଜେପି ନିର୍ବାଚନରେ ମୋଟ ୩.୩୩୫.୩୬ କୋଟି ଖର୍ଚ୍ଚ କରିଛି, ଯାହା କଂଗ୍ରେସର ଖର୍ଚ୍ଚର ପ୍ରାୟ ଚାରି ଗୁଣ। କଂଗ୍ରେସ ଖର୍ଚ୍ଚ କରିଛି ୮୯୬.୨୨ କୋଟି ଟଙ୍କା।

ଏହି ସମୟ ମଧ୍ୟରେ, ଲୋକସଭା ନିର୍ବାଚନ, ଆଠଟି ରାଜ୍ୟର ବିଧାନସଭା ନିର୍ବାଚନ ଏବଂ ଉପ-ନିର୍ବାଚନ ହୋଇଥିଲା। ୨୦୨୪-୨୫ରେ ବିଜେପିର ମୋଟ ଆୟ ୬,୭୬୯.୧୪ କୋଟି ଥିଲା, ଯାହା ମଧ୍ୟରୁ ୬,୧୨୪.୮୫ କୋଟି ଦାନ ଆକାରରେ ମିଳିଥିଲା। ଦଳର ମୋଟ ଖର୍ଚ୍ଚ ୩,୭୭୪.୫୮ କୋଟି ଥିଲା, ଯାହା ୨,୯୯୪.୫୬ କୋଟି ଅଧିକ ଥିଲା। ଏହି ସଂଖ୍ୟାଗୁଡ଼ିକ ସୂଚାଇ ଦେଉଛି ଯେ ବିଜେପି କେବଳ ନିର୍ବାଚନ ଖର୍ଚ୍ଚରେ ନେତୃତ୍ୱ ନେଇ ନଥିଲା ବରଂ ଆୟ ବଢ଼ାଇବାରେ ଅନ୍ୟ ଦଳଗୁଡ଼ିକ ତୁଳନାରେ ଢେର ଆଗରେ ଥିଲା। ରିପୋର୍ଟ ଅନୁଯାୟୀ, ବିଜେପି ନିର୍ବାଚନ ପ୍ରଚାର ସମୟରେ ବିଜ୍ଞାପନରେ ସର୍ବାଧିକ ଖର୍ଚ୍ଚ କରିଥିଲା। ମୋଟ ୩,୩୩୫.୩୬ କୋଟି ନିର୍ବାଚନ ଖର୍ଚ୍ଚ ମଧ୍ୟରୁ, ୮୯୭.୪୨ କୋଟି ବିଜ୍ଞାପନରେ ଖର୍ଚ୍ଚ ହୋଇଥିଲା। ନେତାମାନଙ୍କ ବିମାନ ଯାତ୍ରା ଏବଂ ହେଲିକପ୍ଟର ସେବା ପାଇଁ ୫୮୩.୦୮ କୋଟି ଖର୍ଚ୍ଚ ହୋଇଥିଲା, ପ୍ରାର୍ଥୀମାନଙ୍କୁ ଆର୍ଥିକ ସହାୟତା ଭାବରେ ୩୧୨.୯୦ କୋଟି ଯୋଗାଇ ଦିଆଯାଇଥିଲା। ଏହା ବ୍ୟତୀତ, ଦଳୀୟ କର୍ମଚାରୀମାନଙ୍କ ପାଇଁ ୭୪.୩୪ କୋଟି ଖର୍ଚ୍ଚ ହୋଇଥିଲା, ଯେଉଁଥିରେ ଦରମା ପାଇଁ ୬୯.୦୭ କୋଟି ଏବଂ କର୍ମଚାରୀ କଲ୍ୟାଣ ଯୋଜନାରେ ୫.୨୭ କୋଟି ଟଙ୍କା ଅନ୍ତର୍ଭୁକ୍ତ। ତଥାପି, ପୂର୍ବ ବର୍ଷ ତୁଳନାରେ ଦରମା ଉପରେ ଖର୍ଚ୍ଚ ସାମାନ୍ୟ ହ୍ରାସ ପାଇଛି। ଆଶ୍ଚର୍ଯ୍ୟଜନକ ଭାବରେ, ୨୦୨୪-୨୫ରେ ପୁରୁଣା ଖବରକାଗଜ ବିକ୍ରୟ କରି ବିଜେପି କେବଳ ୨.୨୬ ଲକ୍ଷ ଟଙ୍କା ରୋଜଗାର କରିଥିଲା, ଯେତେବେଳେ କି ନୂତନ ଖବରକାଗଜ କିଣିବା ପାଇଁ ୫୦.୨୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା। ଏହି ସଂଖ୍ୟା ଦଳର ପ୍ରଚାର ଏବଂ ସୂଚନା ନେଟୱାର୍କର ବିସ୍ତାରକୁ ସୂଚିତ କରେ। ଅନ୍ୟପକ୍ଷରେ, କଂଗ୍ରେସର ସ୍ଥିତି ବିଜେପି ତୁଳନାରେ ଦୁର୍ବଳ ଥିଲା। ଦଳର ମୋଟ ଆୟ ୯୧୮.୨୮ କୋଟି ଥିଲା, ଯେତେବେଳେ ଏହାର ଖର୍ଚ୍ଚ ୧,୧୧୧.୯୪ କୋଟି ଥିଲା। ଏହାର ଅର୍ଥ ହେଉଛି କଂଗ୍ରେସ ଏହାର ଆୟ ଅପେକ୍ଷା ଅଧିକ ଖର୍ଚ୍ଚ କରିଥିଲା ଏବଂ ଆର୍ଥିକ ନିଅଂଟରେ ଥିଲା। ୨୦୨୩-୨୪ରେ ବିଜେପିର ଆୟ ୪,୩୪୦.୪୭ କୋଟିରୁ ବୃଦ୍ଧି ପାଇ ୬,୭୬୯.୧୪ କୋଟି ହୋଇଥିଲା, ଯେତେବେଳେ ଏହାର ଖର୍ଚ୍ଚ ମଧ୍ୟ ୨,୨୧୧.୬୯ କୋଟିରୁ ବୃଦ୍ଧି ପାଇ ୩,୭୭୪.୫୮ କୋଟି ହୋଇଥିଲା।

ଯଦି ଅନ୍ୟ ଦଳମାନଙ୍କ କଥା କହିବା ତେବେ, ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ବା ଟିଏମସିକୁ ଏକ ବଡ଼ ଝଟକା ଲାଗିଥିଲା। ଦଳର ଆୟ ୬୪୬.୩୯ କୋଟିରୁ ହ୍ରାସ ପାଇ ୧୮୪.୦୮ କୋଟି ହୋଇଥିଲା, ଯେତେବେଳେ ଏହାର ମୋଟ ଖର୍ଚ୍ଚ ୨୨୭.୫୯ କୋଟି ଥିଲା, ଯେଉଁଥିରେ ନିର୍ବାଚନ ପାଇଁ ୧୩୭.୫୮ କୋଟି ଥିଲା। ଣଝଜ କଂଗ୍ରେସ ପାର୍ଟିର ଆୟ ୧୮୪.୧୧ କୋଟି ଟଙ୍କାରୁ ହ୍ରାସ ପାଇ ୧୪୦.୦୫ କୋଟି ଟଙ୍କା ହୋଇଛି ଏବଂ ନିର୍ବାଚନରେ ୨୯୯.୯୨ କୋଟି ଟଙ୍କା ଖର୍ଚ୍ଚ କରିଛି, ଯେଉଁଥିରେ ଷ୍ଟାର ପ୍ରଚାରକଙ୍କ ପାଇଁ ୨.୧୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି।