ପାକିସ୍ତାନକୁ ବ୍ରହ୍ମୋସ୍ ପଠାଇ ୩ ନିଲମ୍ବିତ
ପ୍ରତିରକ୍ଷା ମନ୍ତ୍ରୀ କହିଲେ, ଅନିଚ୍ଛାକୃତ ତ୍ରୁଟି
ରକେଟ୍ ପଡ଼ିଲା ଲାହୋରଠାରୁ ୨୭୫ କିମି ଦୂର….
ନୂଆଦିଲ୍ଲୀ: ଗତ ମାର୍ଚ୍ଚ ମାସରେ ଭାରତ ପରୀକ୍ଷା କରୁଥିବା ବ୍ରହ୍ମୋସ୍ ରକେଟ୍ଟି ଭୁଲବଶତଃ ପାକିସ୍ତାନରେ ପଡ଼ିଯାଇଥିଲା ଯାହାକୁ କେନ୍ଦ୍ର କରି ଦୁଇଦେଶ ଭିତରେ ବିବାଦର ସୂତ୍ରପାତ ଘଟିଥିଲା । ଏହି ମାମଲାର ଅନ୍ତର୍ଜାତୀୟ ତଦନ୍ତ କରିବା ପାଇଁ ପାକିସ୍ତାନ୍ ସରକାର ମିଳିତ ଜାତିସଂଘରେ ଦାବି କରିଥିଲା । ତେବେ ଭାରତ ସରକାର ଉକ୍ତ ମାମଲାର ତଦନ୍ତ କରି ବାୟୁସେନାର ତିନିଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି । ଏଠାରେ ଜଣାଇଦେଉଛୁ, ମାର୍ଚ୍ଚ ୯ ତାରିଖରେ ଭାରତର ସୁପରସୋନିକ୍ ମିସାଇଲ୍ (ଯୁଦ୍ଧାସ୍ତ୍ର ବିହୀନ) ଲାହୋରଠାରୁ ପ୍ରାୟ ୨୭୫ କିମି ଦୂରରେ ପଡ଼ିଥିଲା । ଫଳରେ ସେଠାରେ ଅବସ୍ଥିତ ଗୋଟିଏ ଶୀତଳ ଭଣ୍ଡାର ଧ୍ୱଂସ ପାଇଥିଲା । ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିଲେ ।
ଏ ପ୍ରକାର ଅନିଚ୍ଛାକୃତ ତ୍ରୁଟି ପାଇଁ ଭାରତ ସରକାର କ୍ଷମା ପ୍ରାର୍ଥନା କରିଥିଲା । ଆନ୍ତର୍ଜାତିକ ସ୍ତରରେ କୂଟନୈତିକ ପଦକ୍ଷେପ ଗ୍ରହଣ କରି ଭାରତ ମାମଲାଟିକୁ ହାଲୁକା କରିଦେଲା; ମାତ୍ର ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଭାଇସ୍ ଏୟାର ମାର୍ଶାଲ ଆରକେ ସିହ୍ନାଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସିହ୍ନା ସଂପୃକ୍ତ ଘଟଣାରେ ତିନିଜଣ ଅଧିକାରୀଙ୍କ ସଂପୃକ୍ତି ଜାଣିବାକୁ ପାଇଥିଲେ । ଦୋଷୀ ଅଧିକାରୀଙ୍କୁ ବାୟୁସେନାରୁ ନିଲମ୍ବନ କରାଯାଇଛି । ଭବିଷ୍ୟତରେ ଏଭଳି ଗୁରୁତର ଭୁଲ ଯେଭଳି ନହୁଏ, ସେଥିପାଇଁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଭାଇସ୍ ଏୟାର୍ ମାର୍ଶାଲ ସିହ୍ନା କହିଛନ୍ତି ।
ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ସେଦିନର ଅନିଚ୍ଛାକୃତ ଭୁଲ ପାଇଁ ଦୁଃଖପ୍ରକାଶ କରିସାରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ସିଂହ କହିଛନ୍ତି, ଆମ ମିସାଇଲ୍ ସିଷ୍ଟମ୍ ସଂପୂର୍ଣ୍ଣ ସୁରକ୍ଷିତ ଓ ଭରସାଯୋଗ୍ୟ । ରକେଟ୍ ସମ୍ପର୍କରେ ସହକର୍ମୀଙ୍କୁ ବୁଝାଉଥିଲା ବେଳେ ହଠାତ୍ ଟ୍ରିଗର ଉପରେ ହାତ ବାଜି ଯାଇଥିଲା । ଫଳରେ ରକେଟ୍ଟି ପାକିସ୍ତାନ ଆଡ଼କୁ ଛୁଟି ଯାଇଥିଲା । ଆମ ଅଧିକାରୀମାନେ ଜାଣିଶୁଣି ଭୁଲ କରିନାହାନ୍ତି । ଯାହା ଘଟିଛି, ଅଜାଣତରେ ।