ରୋଗୀ ମଲାପରେ ଉଠିଲା ସିଏମ୍‌ସି

ସହର ଗଳିକନ୍ଦିରେ ଡେଙ୍ଗୁ ରାଜ

କଟକ: କଟକ ସହରରେ ପ୍ରଥମ ଡେଙ୍ଗୁ ରୋଗୀ ମରିବା ପରେ ନିଗମ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଦୂଷିତ ପାଣି ଓ ପରିବେଶ ଡେଙ୍ଗୁ ପାଇଁ ଅନୁକୁଳ ଥିବାରୁ ସିଏମ୍‌ସି ଏକାଧିକ ପଦକ୍ଷେପ ଆରମ୍ଭ କରିଛି । ସପ୍ତାହକୁ ଗୋଟିଏ ଦିନ ଡ୍ରାଏ ଡେ’ ପାଳନ କରିବା ସହ ଘରକୁ ଘର ବୁଲି ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ସଂକ୍ରମିତଙ୍କୁ ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରୁଛନ୍ତି । ଘରୋଇ ନର୍ସିଂହୋମ୍‌ରେ ଡେଙ୍ଗୁ ଚିହ୍ନଟ ହେଲେ ତୁରନ୍ତ ସରକାରୀ ଡାକ୍ତରଖାନାକୁ ପଠାଇବାକୁ କୁହାଯାଇଛି ।

କଟକ ସହରର ଗଳିକନ୍ଦିକୁ ଡେଙ୍ଗୁ ଭୁଲିପାରୁନି । ତେଣୁ ସିଏମ୍‌ସି ଅଧିକାରୀମାନେ ପ୍ରତି ୱାର୍ଡ ବୁଲୁଛନ୍ତି । ଘର ଆଖପାଖରେ ଯେପରି ଦୂଷିତ ପାଣି ଜମି ନଯାଏ, ତା’ର ବ୍ୟବସ୍ଥା କରିବା ପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି । ପ୍ରତି ୱାର୍ଡରେ ଗଛ, ଲଟା, ବୁଦା ସଫା ଚାଲିଛି । ନିଗମର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ମୁତାବକ କେବଳ କଟକ ବଡ଼ ଡାକ୍ତରଖାନାରେ କାର୍ଯ୍ୟରତ ଅଭିଜ୍ଞ ଡାକ୍ତରମାନେ ଡେଙ୍ଗୁ ଚିକିତ୍ସା କରିପାରିବେ । ତେଣୁ ଘରୋଇ ଡାକ୍ତରଖାନାକୁ ଡେଙ୍ଗୁରୋଗୀଙ୍କୁ ନେଇ ହିନସ୍ତା ଭୋଗିବା ପାଇଁ ଲୋକଙ୍କୁ ବାରଣ କରାଯାଉଛି । ଡେଙ୍ଗୁ ନିୟନ୍ତ୍ରଣ ଅଭିଯାନରେ କର୍ପୋରେଟରମାନେ ସାମିଲ ହୋଇଛନ୍ତି । ଗତ ଚାରିମାସରେ ୧୯ ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିଲା ବେଳେ ଜଣେ ଚିକିତ୍ସାଧୀନ ଅବସ୍ଥାରେ ମରିଛନ୍ତି ।