ରାଜ୍ୟସଭାରେ ହଙ୍ଗମା ପ୍ରସଙ୍ଗ: ୮ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ : ରାଜ୍ୟସଭାରେ କୃଷି ବିଲକୁ ନେଇ ହଙ୍ଗାମା କରିଥିବା ସାଂସଦ ନିଲମ୍ବିତ ହୋଇଛନ୍ତି । କୃଷି ବିଲ ଚର୍ଚ୍ଚା ସମୟରେ ହଙ୍ଗାମା କରିଥିବା ସାଂସଦଙ୍କ ବିରୋଧରେ ଏଭଳି କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ୮ ଜଣ ବିରୋଧୀ ଦଳ ସାଂସଦଙ୍କୁ ଏକ ସପ୍ତାହ ଯାଏଁ ନିଲମ୍ବିତ ଘୋଷଣା କରିଛନ୍ତି । ଆଜି ରାଜ୍ୟସଭାର ଅଧିବେଶନ ଆରମ୍ଭ ହେବା ପରେ ଏହି ନିଷ୍ପତ୍ତି ନେଇଛନ୍ତି । ନିଲମ୍ବିତ ହୋଇଥିବା ସାଂସଦମାନଙ୍କ ମଧ୍ୟରେ ଡେରେକ ଓ’ବ୍ରିଏନ୍, ସଞ୍ଜୟ ସିଂ, ରିପୁନ୍ ବୋରା, ନାଜିର ହୁସେନ୍, କେ.କେ ରାଗଶ, ଏ କରିମ୍, ରାଜୀବ ସତ୍ୟଭ ଓ ଡୋଲା ସେନ୍ ଅଛନ୍ତି।

ଗତକାଲି ପ୍ରବଳ ହଙ୍ଗାମା ମଧ୍ୟରେ ବିବାଦୀୟ କୃଷକ ବିଲ୍ ରାଜ୍ୟସଭାରେ ଗୃହୀତ ହୋଇଥିଲା। ବିଲ୍‌କୁ ବିରୋଧ କରି ବିରୋଧୀ ଦଳର ସଭ୍ୟମାନେ ଗୃହ ମଧ୍ୟଭାଗ‌ରେ ହଙ୍ଗାମା କରିବା ସହିତ ଉପାଧ୍ୟକ୍ଷଙ୍କ ମାଇକ୍ ଭାଙ୍ଗିଥିଲେ। ‌ଖାଲି ସେତିକି ନୁହେଁ, କେତେକ ସଭ୍ୟ ଉପାଧ୍ୟକ୍ଷଙ୍କ ଟେବୁଲରୁ କାଗଜପତ୍ର ମଧ୍ୟ ଭିଡ଼ି ଆଣି ଚିରି ପକାଇଥିଲେ। ଏହି ଘଟଣା ଦ୍ୱାରା ମୁଁ ଗଭୀର ଦୁଃଖିତ ଥିବା କହି ଆଜି ରାଜ୍ୟସଭାର ଅଧିବେଶନ ଆରମ୍ଭ ରୁ ହିଁ କାର୍ଯାନୁଷ୍ଠାନ ନେଇଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ।