ଡ୍ରଗ ଲିଙ୍କ୍: ଶ୍ରଦ୍ଧାଙ୍କୁ ଏନସିବିର ସମନ୍!

ମୁମ୍ବାଇ: ଖୁବଶୀଘ୍ର ବଲିଉଡ଼ ଡ୍ରଗ ଲିଙ୍କ୍ ମାମଲାରେ ପଚରାଉଚରା ଲାଗି ହାଜର ହେବେ ଅଭିନେତ୍ରୀ ଶ୍ରଦ୍ଧା କପୁର। ଏନସିବି ତାଙ୍କୁ ସମନ ଜାରି କରିବା ନେଇ ଏକ ତାଜା ରିପୋର୍ଟ ଜଣାଇଛି। ଶ୍ରଦ୍ଧାଙ୍କ ସହ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କୁ ମଧ୍ୟ ସମନ କରାଯିବ ବୋଲି ଏଥିରେ ଦର୍ଶାଯାଇଛି।

ଉଭୟଙ୍କୁ ଏନଡିପିଏସ ଅଧିନିୟମର ଧାରା ୬୭ ଆଧାରରେ ତଦନ୍ତକାରୀ ସଂସ୍ଥା ସମନ ପଠାଇବ। ଏହା ବ୍ୟତୀତ ରକୁଲ୍ ପ୍ରୀତ ସିଂ ଏବଂ ସିମୋନ ଖମ୍ବାଟାଙ୍କୁ ମଧ୍ୟ ସମନ ଜାରି ହେବାନେଇ ଶୁଣାଯାଉଛି। ରକୁଲ ପ୍ରୀତଙ୍କ ନାଁ ରିୟା ଚକ୍ରବର୍ତ୍ତୀ ପାଟିରେ ଧରିବା ପରେ ସେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଧିକାରିକ ସ୍ତରରେ ଘୋଷଣା ହେଲେ ଯାଇ ମାମଲାରେ ରକୁଲଙ୍କ ନାଁ ଉଠାଯାଇ ପାରିବ ଏବଂ ଏହା ପୂର୍ବରୁ ନୁହେଁ ବୋଲି କୋର୍ଟ କହିଛନ୍ତି।

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଫସିଛନ୍ତି। ବିଚାର ବିଭାଗୀୟ ହେଫାଜତରେ ସେ ବର୍ତ୍ତମାନ ରହିଥିବା ବେଳେ ଜେରା ସମୟରେ ବହୁ ବଲିଉଡ଼ ଷ୍ଟାରଙ୍କ ନାଁ ସେ ନେଇଛନ୍ତି। ରକୁଲ ପ୍ରୀତ ସିଂ, ସାରା ଅଲ୍ଲୀ ଖାନ, ସିମୋନ ଖମ୍ବାଟା, ମୁକେଶ ଛବ୍ରାଙ୍କ ପରି ବହୁ କଳାକାର ଓ ନିର୍ଦ୍ଦେଶକଙ୍କୁ ସେ ମାମଲା ମଧ୍ୟକୁ ଟାଣିଲେଣି। ଏହି ଲିଷ୍ଟରେ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ନାଁ ଯୋଡ଼ି ହୋଇଛି।