ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟ ପକ୍ଷରୁ ବଡ଼ ନିଷ୍ପତ୍ତି

ଏବେ କୋଟା ଭିତରେ ସୃଷ୍ଟି କରାଯାଇପାରିବ କୋଟା । ଏହାକୁ ଅନୁମୋଦନ ପ୍ରଦାନ କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ୭ ଜଣିଆ ବିଚାରପତିଙ୍କ ବେଞ୍ଚ ବହୁମତ ସହ କହିଛନ୍ତି ଯେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମଧ୍ୟରେ ରାଜ୍ୟ ସରକାର ଉପ-ବର୍ଗ ସୃଷ୍ଟି କରିପାରିବେ । ୨୦୦୪ ମସିହାରେ ଇଭି ଚିନ୍ନାୟା ମାମଲାରେ ଦିଆଯାଇଥିବା ୫ ଜଣ ବିଚାରପତିଙ୍କ ନିଷ୍ପତ୍ତିକୁ ୭ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ଖାରଜ କରି ଦେଇଛନ୍ତି ।

୨୦୦୪ରେ ସମାନ ମାମଲାର ଶୁଣାଣି ହୋଇଥିଲା । ସେତେବେଳେ ସୁପ୍ରିମକୋର୍ଟ କହିଥିଲେ ଯେ ଏସସି / ଏସଟି ଆଦିବାସୀମାନଙ୍କ ମଧ୍ୟରେ ଉପ-ବର୍ଗ ସୃଷ୍ଟି କରାଯାଇପାରିବ ନାହିଁ । କିନ୍ତୁ ବର୍ତ୍ତମାନ ସୁପ୍ରିମକୋର୍ଟ କହିଛନ୍ତି ଯେ କୋଟା ଭିତରେ କୋଟା ସୃଷ୍ଟି କରାଯାଇପାରିବ । ସିଜେଆଇ କହିଛନ୍ତି ଯେ ଅନୁସୂଚିତ ଜାତି ଓ ଜନଜାତିର ଉପ-ବର୍ଗୀକରଣ ଧାରା ୧୪କୁ ଉଲ୍ଲଂଘନ କରୁନାହିଁ । କାରଣ ଏହି ଉପ-ବର୍ଗଗୁଡିକ ତାଲିକାରୁ ବାଦ ପଡ଼ିନାହିଁ । ଅନୁଚ୍ଛେଦ ୧୫, ୧୬ରେ ଏମିତି କିଛି ନାହିଁ, ଯାହାକି ରାଜ୍ୟକୁ କୌଣସି ଜାତିକୁ ଉପ-ବର୍ଗ କରିବାରେ ବାରଣ କରିଥାଏ । ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଉପ-ବର୍ଗୀକରଣର ଆଧାର ରାଜ୍ୟର ସଠିକ ତଥ୍ୟ ଉପରେ ଆଧାରିତ ହେବା ଉଚିତ। ଏହି ପ୍ରସଙ୍ଗରେ ରାଜ୍ୟ ନିଜ ଇଚ୍ଛାରେ କାର୍ୟ୍ୟ କରିପାରିବ ନାହିଁ ।

ଜଷ୍ଟିସ୍ ବି.ଆର ଗବାଇ କହିଛନ୍ତି ଯେ ପଛୁଆ ସମ୍ପ୍ରଦାୟକୁ ପ୍ରାଥମିକତା ଦେବା ରାଜ୍ୟର କର୍ତ୍ତବ୍ୟ। କେବଳ ଏସସି / ଏସଟି ବର୍ଗର କିଛି ଲୋକ ସଂରକ୍ଷଣର ଲାଭ ଉପଭୋଗ କରୁଛନ୍ତି । ଏସସି / ଏସଟି ମଧ୍ୟରେ ଏମିତି ଅନେକ ବର୍ଗ ଅଛି ଯେଉଁମାନଙ୍କୁ ବହୁ ବର୍ଷ ଧରି ଅତ୍ୟାଚାରର ସମ୍ମୁଖୀନ ହେବାକୁ ପଡ଼ୁଛି ।