ଦୁଇବର୍ଷର ପିଲାଟିକୁ ଗିଳିଦେଲା ଜଳହସ୍ତୀ

ଦୁଇବର୍ଷର ବାଳୁତଟିଏ ହ୍ରଦକୂଳରେ ଖେଳୁଥିବା ବେଳେ ହ୍ରଦ ଭିତରୁ ବାହାରି ଆସି..

ନୂଆଦିଲ୍ଲୀ: ଦୁଇବର୍ଷର ବାଳୁତଟିଏ ହ୍ରଦକୂଳରେ ଖେଳୁଥିବା ବେଳେ ହ୍ରଦ ଭିତରୁ ବାହାରି ଆସି ଗୋଟିଏ ଜଳହସ୍ତୀ ତାକୁ ସଂପୂର୍ଣ୍ଣ ଗିଳିଦେଲା । କିନ୍ତୁ ଜନୈକ ପ୍ରତ୍ୟକ୍ଷଦର୍ଶୀ ବିଚକ୍ଷଣ ବୁଦ୍ଧି କାରଣରୁ ପିଲାଟି ଜଳହସ୍ତୀ ମୁହଁ ବାଟ ଦେଇ ବାହାରି ଆସିଛି । ଘଟଣାଟି ସଂପୃକ୍ତ ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଛି ।

ସୂଚନା ମୁତାବକ ଉଗାଣ୍ଡାର ଏଡୱାଡ୍‌ ହ୍ରଦ ନିକଟରେ ଖେଳୁଥିଲା ୨ ବର୍ଷୀୟ ପଲ୍‌ । ପଲକୁ ଗିଳିବାର ଦେଖି ସ୍ଥାନୀୟ ଲୋକମାନେ ଜଳହସ୍ତୀ ଉପରକୁ ଢେଲାପଥର ମାଡ଼ କଲେ । ପଲକୁ ଦୁଇଦାନ୍ତରେ ଧରି ଜଳହସ୍ତୀଟି ହ୍ରଦ ଭିତରକୁ ଚାଲିଯିବାକୁ ବସିଲା । ତା’ ଭିତରେ ପିଲାଟିକୁ ଅଧା ଗିଳି ସାରିଥିଲା ଜଳହସ୍ତୀ । ମାତ୍ର କ୍ରିସପାସ୍‌ ନାମକ ଜଣେ ବ୍ୟକ୍ତିଙ୍କ ଲଗାତର ଢେଲାମାଡ଼ରୁ ରକ୍ଷା ପାଇବା ପାଇଁ ପିଲାଟିକୁ ପାଟି ଭିତରୁ ପଦାକୁ ଫୋପାଡ଼ି ଦେଇ ହ୍ରଦ ଭିତରକୁ ପଶିଗଲା ଜଳହସ୍ତୀ ।

ଜଳହସ୍ତୀ କାମୁଡ଼ାରେ ପିଲାଟି ଗୁରୁତର ଆହତ ହୋଇଛି । ସ୍ଥାନୀୟ ଡାକ୍ତରଖାନାରେ ତା’ର ଚିକିତ୍ସା ଚାଲିଛି । ପିଲାଟିକୁ ରାବିସ୍‌ ଟୀକା ଦିଆଯାଇଛି । ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚିଥିଲା । ଘଟଣାଟି ପ୍ରଥମ ଥର ପାଇଁ ସଂପୃକ୍ତ ଅଂଚଳରେ ଘଟିଥିବାରୁ ହ୍ରଦ ପ୍ରତି ସତର୍କ ରହିବାକୁ ପୁଲିସ ପରାମର୍ଶ ଦେଇଛି ।