ଶାହଙ୍କ ଆଗରେ ବିଏସ୍‌ଏଫ୍‌ ଅଧିକାରୀଙ୍କୁ ଗାଳିଦେଲେ ମମତା

ଶନିବାର କୋଲକାତାରେ ଅନୁଷ୍ଠିତ ପୂର୍ବାଂଚଳ ପରିଷଦ ବୈଠକରେ…

କୋଲକାତା: ଶନିବାର କୋଲକାତାରେ ଅନୁଷ୍ଠିତ ପୂର୍ବାଂଚଳ ପରିଷଦ ବୈଠକରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଅଧ୍ୟକ୍ଷତା କରିଥିଲେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉକ୍ତ ବୈଠକରେ ଯୋଗଦାନ କରିଥିଲେ । ବୈଠକରେ ବିଏସ୍‌ଏଫ୍‌ ଅଧିକାରୀଙ୍କ ଅଧିକାର ପ୍ରସଙ୍ଗ ଆଲୋଚନା ଚାଲିଥିଲା । ସଂଶୋଧିତ ବିଏସ୍‌ଏଫ୍‌ ଆଇନକୁ ତୀବ୍ର ପ୍ରତିବାଦ କରି ମମତା କହିଲେ ଯେ ସୀମାଠାରୁ ଅଭ୍ୟନ୍ତର ପ୍ରଦେଶର ୫୦ କିମି ଅଂଚଳ ବିଏସ୍‌ଏଫ୍‌ ଅଧିକାରଭୁକ୍ତ କରାଯିବା ଫଳରେ ସାଧାରଣ ଲୋକଙ୍କୁ ନାନା ପ୍ରତିବନ୍ଧକର ସାମ୍ନା କରିବାକୁ ପଡୁଛି । ସାଧାରଣ ଲୋକ ଓ ବିଏସ୍‌ଏଫ୍‌ ଯବାନଙ୍କ ଭିତରେ ସଠିକ୍‌ ବୁଝାମଣା ରହୁନାହିଁ ।

ବୈଠକରେ ଯୋଗ ଦେଇଥିବା ଜଣେ ବିଏସ୍‌ଏଫ୍‌ ଅଧିକାରୀ ରାଜ୍ୟ ସରକାରଙ୍କ ଅସହଯୋଗ ସଂପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବାସ୍‌, ମମତା ଆଉ କି ଥୟ ଧରନ୍ତି । ଆରମ୍ଭ କରିଦେଲେ ବିଏସ୍‌ଏଫ୍‌ ଅଧିକାରୀଙ୍କ ଉପରେ ପ୍ରବଳ ଗାଳିବର୍ଷଣ ।

ସଂଶୋଧିତ ଆଇନ ଅନୁସାରେ ସୀମାନ୍ତଠାରୁ ୫୦ କିମି ଭିତର ପର୍ଯ୍ୟନ୍ତ ଅଂଚଳରେ ଘଟୁଥିବା ଅପରାଧିକ କାର୍ଯ୍ୟକଳାପରେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ମାଜିଷ୍ଟ୍ରେଟଙ୍କ ଆଦେଶ ଅବା ୱାରେଂଟ ଦରକାର ପଡ଼ିବନି । ପୁରୁଣା ଆଇନ ଅନୁସାରେ ସୀମାନ୍ତଠାରୁ ୧୫ କିମି ଭିତରକୁ ଥିବା ଅଂଚଳ ବିଏସ୍‌ଏଫ୍‌ ନିୟନ୍ତ୍ରଣାଧିନ ଥିଲା ।

ପଶ୍ଚିମବଙ୍ଗ ସମେତ ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ସିକିମ୍‌ ମୁଖ୍ୟମନ୍ତ୍ରୀ ଅବା ସେମାନଙ୍କର ପ୍ରତିନିଧିମାନେ ଉକ୍ତ ବୈଠକରେ ଯୋଗଦାନ କରିଥିଲେ । ଉକ୍ତ ବୈଠକରେ ମମତା ଦାମୋଦର ଉପତ୍ୟକା କର୍ପୋରେସନ୍‌ (ଡିବିସି) ବିରୋଧରେ ଅଭିଯୋଗ କରିଥିଲେ । ପଶ୍ଚିମବଙ୍ଗ ସରକାରଙ୍କ ବିନା ଅନୁମତିରେ ଡିବିସି ପାଣି ଛାଡ଼ି ଦେଉଥିବା ଅଭିଯୋଗ କରିଥିଲେ । ତତ୍ପରେ ଅମିତ ଶାହ ଉକ୍ତ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର, ରାଜ୍ୟ ଓ ଡିବିସି ଭିତରେ ଆପୋଷ ବୁଝାମଣା ପ୍ରତି ଗୁରୁତ୍ୱାରୋପ କରିଥିଲେ ।