ନୂଆଦିଲ୍ଲୀ : ବିଧାନସଭାରେ ରାତି କାଟିଲେ ଆମ୍ ଆଦମି ପାର୍ଟିର ବିଧାୟକ । କାରଣ ସୋମବାର ପଞ୍ଜାବ ବିଧାନସଭାରେ ଶିରୋମଣି ଅକାଳି ଦଳ ଓ ଆମ ଆଦମି ପାର୍ଟି ଦାବି କରିଥିଲେ ନୂତନ ପ୍ରସ୍ତାବିତ ବିଧେୟକର ଡ୍ରାଫ୍ଟ ପ୍ରଥମେ ବିରୋଧୀଙ୍କୁ ଦେଖାଯାଉ । ତାପରେ ସରକାର ଡ୍ରାଫ୍ଟକୁ ବିଧାନସଭାରେ ଉପସ୍ଥାପନ କରନ୍ତୁ। ଆପ୍ର କିଛି ବିଧାୟକ ଏହି ଦାବିକୁ ନେଇ ଧାରଣାରେ ବସିବା ସହ ସେଠାରେ ରାତି ଅତିବାହିତ କରିଛନ୍ତି।

ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଏବେ ବିରୋଧୀଙ୍କ ଟାର୍ଗେଟରେ । କେନ୍ଦ୍ର ସରକାରଙ୍କ କୃଷି ବିଲକୁ ନେଇ ହରିଆଣା ଓ ପଞ୍ଜାବର ଚାଷୀ ରାସ୍ତାକୁ ଓହ୍ଲାଇଛନ୍ତି। କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ,କେନ୍ଦ୍ରର କୃଷି ଆଇନ ବିରୋଧରେ ରାଜ୍ୟ ବିଧାନସଭାରେ ଏମିତି ଏକ ବିଧେୟକ ଆସିବ ଯେଉଁଥିରେ ଚାଷୀଙ୍କ ହିତ ପ୍ରଭାବିତ ହେବ ନାହିଁ। ରାଜ୍ୟ ସରକାରଙ୍କ ତରଫରୁ ଡ୍ରାଫ୍ଟ କପି ନ ଦିଆଯିବାରୁ ବିରୋଧୀମାନେ ବିଧାନସଭାର ବିଶେଷ ଅଧିବେଶନରେ କେନ୍ଦ୍ର କୃଷି ଆଇନ ବିରୋଧରେ ହଙ୍ଗାମା କରିଥିଲେ। ସେମାନଙ୍କ ହଙ୍ଗାମା ଯୋଗୁ ରାଜ୍ୟ ସରକାର ଗୃହ କାର୍ଯ୍ୟକୁ ମଙ୍ଗଳବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।
ଅନ୍ୟପଟେ ବିଧାନସଭା ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ବିଧାନସଭା ଅଧିକାରୀମାନେ ଆପ୍ ନେତାଙ୍କୁ ବିରୋଧ ପ୍ରଦର୍ଶନ ବନ୍ଦ କରି ତଥା ଧାରଣାରୁ ଉଠାଇବା ପାଇଁ ରାଜି କରାଇବାକୁ ଚେଷ୍ଟା କରିଥିଲେ । ମାତ୍ର ସେମାନେ ତାଙ୍କ ଦାବି ଉପରେ ହିଁ ତିଷ୍ଠି ରହିଲେ।