ନାଜାଲ ଟୀକା ତିଆରି କରିବ ଭାରତ

ପୁନେ : କରୋନା ଭାଇରସ ସଂକ୍ରମଣ ରୋକିବାକୁ ସବୁ ଦେଶ ଲଗାତାର ପ୍ରୟାସ କରୁଛନ୍ତି। କରୋନା ଯୋଗୁଁ ସବୁଠାରୁ ଅଧିକ ମୃତ୍ୟୁ ଆମେରିକାରେ ହୋଇଛି। ବିଶ୍ୱରେ କରୋନା ଭାଇରସ ଯୋଗୁଁ ପାଖାପାଖି ୪ କୋଟି ଲୋକ ସଂକ୍ରମିତ ହୋଇଥିବା ବେଳେ ୧୦ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି। ବର୍ତ୍ତମାନ ସମୟରେ କରୋନା ନିୟନ୍ତ୍ରଣ ପାଇଁ ଇଣ୍ଟ୍ରାନାସାଲ୍ ଟୀକା ବା ନାଜାଲ ଟିକା ତିଆରି କରାଯାଇପାରିବ। ଏହାର ପରୀକ୍ଷଣ ଭାରତରେ ଆରମ୍ଭ କରିବାକୁ ପ୍ରସ୍ତୁତି ଚାଲିଛି।

ସୂଚନା ଅନୁସାରେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ହର୍ଷବର୍ଦ୍ଧନ କହିଛନ୍ତି ଯେ, ଏହି ଟିକା ପରୀକ୍ଷଣ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଓ ଭାରତ ବାୟୋଟେକ କରିପାରିବେ। ବର୍ତ୍ତମାନ ଭାରତରେ କୌଣସି ସ୍ଥାନରେ ନାଜାଲ ଟିକା ଉପରେ କୌଣସି ପରୀକ୍ଷଣ ହୋଇନାହିଁ। ଏହି ଟିକାକୁ ନାକ ଜରିଆରେ ସଂକ୍ରମିତଙ୍କୁ ଦିଆଯିବ।

ଡ.ହର୍ଷବର୍ଦ୍ଧନଙ୍କ କହିବା ଅନୁସାରେ, ନାଜାଲ ଟିକା ତିଆରି କରିବାକୁ ଭାରତ ବାୟୋଟେକ ୱାସିଂଟନ ୟୁନିଭର୍ସିଟିର ସ୍କୁଲ ଅଫ ମେଡ଼ିସିନ ଓ ସେଣ୍ଟ ଲୁଇସ ୟୁନିଭର୍ସିଟି ସହ ଚୁକ୍ତି ହୋଇଛି। ଏହି ଚୁକ୍ତି ଅନୁସାରେ ଦେଶରେ Sars-CoV-2 ପାଇଁ ଇଣ୍ଟ୍ରାନାସାଲ୍ ଟିକା ପରୀକ୍ଷଣ ସହ ଉତ୍ପାଦନ ଓ ବିକ୍ରି ମଧ୍ୟ ହୋଇପାରିବ।