ଅଭିନେତ୍ରୀ ସ୍ୱରାଙ୍କୁ ହତ୍ୟା ଧମକ

ପୁଲିସ ତାଙ୍କ ଅଭିଯୋଗକୁ ଆଧାର କରି ଅଜଣା ଦୁର୍ବୃତ୍ତ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣେ ଅଧିକାରୀ କହିଛନ୍ତି…

ମୁମ୍ବାଇ: ଅଭିନେତ୍ରୀ ସ୍ୱରା ଭାସ୍କରଙ୍କୁ କେହି ଦୁର୍ବୃତ୍ତ ଚିଠି ଲେଖି ମାରିବା ପାଇଁ ଧମକ ଦେଇଛି । ଏହି ଚିଠି ମିଳିବା ପରେ ପୁଲିସ ଘଟଣାର ଛାନଭିନ ଆରମ୍ଭ କରିଥିବା ଜଣାପଡ଼ିଛି । ପୁଲିସର ସୂଚନା ଅନୁଯାୟୀ, ଏହି ହତ୍ୟା ଧମକ ଭରା ଚିଠି ଭରସୋଭାରେ ଥିବା ସ୍ୱରାଙ୍କ ଘରକୁ ପଠାଯାଇଥିଲା । ଚିଠି ମିଳିବା ପରେ ସେ ଦୁଇ ଦିନ ତଳେ ଭରସୋଭା ପୁଲିସର ଦ୍ୱାରସ୍ଥ ହୋଇଥିଲେ । ପୁଲିସ ତାଙ୍କ ଅଭିଯୋଗକୁ ଆଧାର କରି ଅଜଣା ଦୁର୍ବୃତ୍ତ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣେ ଅଧିକାରୀ କହିଛନ୍ତି । ଚିଠିରେ ଲେଖାଯାଇଛି ଯେ ଦେଶର ଯୁବପିଢ଼ି କେବେ ହେଲେ ବୀର ସବରକରଙ୍କ ଅପମାନକୁ ସହ୍ୟ କରିପାରିବେ ନାହିଁ । ଚିଠିରେ କୁହାଯାଇଛି ଯେ ସ୍ୱରା ଭାସ୍କର ବୀର ସବରକରଙ୍କୁ ଅପମାନିତ କରିବା ବନ୍ଦ କରୁନ୍ତୁ ଓ କେବଳ ନିଜ ଫିଲ୍ମ ଉପରେ ଧ୍ୟାନ ଦିଅନ୍ତୁ । ଚିଠି ପଠାଇଥିବା ଲୋକ ନିଜ ନାଁ ଲେଖିନି । ହେଲେ ସେ ନିଜକୁ ଦେଶର ଜଣେ ଯୁବକ ଭାବେ ଚିଠିରେ କହିଛି ।