ଆଫଗାନିସ୍ତାନ ଏବେ ତାଲିବାନୀ ଆତଙ୍କବାଦୀଙ୍କ କବଜାରେ

କାବୁଲ: ଆଫଗାନିସ୍ତାନ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ତାଲିବାନ ମାନଙ୍କ ହାତକୁ ଚାଲିଯିବ ବୋଲି ଆଶଙ୍କା କରାଯାଉଥିଲା । ଯାହା ରବିବାର ଦିନ ସତ ସାବ୍ୟସ୍ତ ହୋଇଛି । କାବୁଲ ଉପରେ କବଜା କରିବା ସହିତ ଆଫଗାନିସ୍ତାନ ଉପରେ ୨୦ ବର୍ଷ ପରେ ପୁଣି ନିଜର ରାଜୁତି ଆରମ୍ଭ କରିଛି ତାଲିବାନ । ସେମାନଙ୍କ ଲେଉଟାଣିରେ ଏବେ ଆଫଗାନିସ୍ତାନର ପରିସ୍ଥିତି ଖୁବ୍ ଭୟାନକ ରହିଛି । ରାଷ୍ଟ୍ରପତି ଭବନରେ ଏବେ ତାଲିବାନ ଆତଙ୍କବାଦୀ ମାନେ ପହଞ୍ଚି ସାରିଛନ୍ତି ।

କାବୁଲରେ ପଶିଲା ତାଲିବାନ, ଆଫଗାନ ରାଷ୍ଟ୍ରପତି ଅସରଫ ଘନିଙ୍କ ଦେଶଛାଡି ପଳାୟନ…
ଅଗଷ୍ଟ ୧୫ ତାରିଖରେ କାବୁଲରେ ପ୍ରବେଶ କରି ରାଜଧାନୀକୁ ନିଜ ଦଖଲକୁ ନେଇଗଲେ ତାଲିବାନୀ ଆତଙ୍କୀ । ରାଷ୍ଟ୍ରପତିଙ୍କ ବାସଭବନ ଓ କାର୍ଯ୍ୟାଳୟ ବାହାରେ ତାଲିବାନୀ ଆତଙ୍କୀ ନିଜର ପତାକା ଲଗାଇ ଜଗି ବସିଛନ୍ତି । ହେଲେ ରାଷ୍ଟ୍ରପତି ଅସରଫ ଘନିଙ୍କ ପତା ମିଳୁନି । ରାଷ୍ଟ୍ରପତି ଭବନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନି ଦେଶ ଛାଡି ପଳାୟନ କରିଛନ୍ତି । ଅସରଫ ଘନି କେଉଁଆଡେ ଚାଲିଯାଇଛନ୍ତି ବର୍ତମାନ ଏନେଇ କୌଣସି ସୂଚନା ମିଳିନାହିଁ । ପୁରା ଆଫଗାନିସ୍ତାନ ତାଲିବାନୀଙ୍କ କବଜାରେ ଥିବା ବେଳେ, ସାଧାରଣ ଜନତା ଏବେ ଆତଙ୍କିଙ୍କୁ ନେଇ ଭୟର ମାହୋଲ ଭିତରେ ଅଛନ୍ତି । ଏପରି ସମୟରେ ରାଷ୍ଟ୍ରପତି ଅସରଫ ଘନି ଦେଶଛାଡି ପଳାୟନ କରିବା ସମସ୍ତ ଆଫଗାନ ଜନତାଙ୍କୁ ବି ବ୍ୟଥିତ କରିଛି ।

ସଶସ୍ତ୍ର ତାଲିବାନ ଆତଙ୍କବାଦୀମାନେ ଆଫଗାନିସ୍ତାନର ରାଷ୍ଟ୍ରପତି ଭବନକୁ ଦଖଲ କରିଛନ୍ତି। ତାଲିବାନ ଦାବି କରିଛି ଯେ ଏହା କେବଳ କାବୁଲର ୧୧ ଟି ଜିଲ୍ଲାକୁ ନିୟନ୍ତ୍ରଣ କରିନାହିଁ, ବରଂ ଏହା ବର୍ତ୍ତମାନ ଆଫଗାନିସ୍ତାନକୁ ମଧ୍ୟ ନିୟନ୍ତ୍ରଣକୁ ନେଇସାରିଛି । ସେଥିପାଇଁ ତାଲିବାନ ଖୁବ୍ ଶୀଘ୍ର ଆଫଗାନିସ୍ତାନରେ ନିଜର ଶାସନ ଘୋଷଣା କରିବାକୁ ଯାଉଛି । ତେବେ ଇତି ମଧ୍ୟରେ ଆଉ ଏକ ଖବର ଆସି ପହଞ୍ଚିଛି ଆଫଗାନିସ୍ତାନର ନୂତନ ନାମ ବର୍ତ୍ତମାନ “ଇସଲାମିକ୍ ଏମିରେଟ୍ସ ଅଫ୍ ଆଫଗାନିସ୍ତାନ(Islamic Emirate of Afghanistan)” ହେବ ବୋଲି ଘୋଷଣା କରିଛନ୍ତି ତାଲିବାନ ସଂଗଠନ ।