କଂଗ୍ରେସ ଛାଡିଲେ ମହିଳା ମୋର୍ଚ୍ଚାର ଅଧ୍ୟକ୍ଷ ସୁସ୍ମିତା ଦେବ

ନୂଆଦିଲ୍ଲୀ: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ସୁସ୍ମିତା ଦେବ। ସେ କଂଗ୍ରେସର ମହିଳା ଶାଖା ‘ସର୍ବ ଭାରତୀୟ ମହିଳା କଂଗ୍ରେସ’ର ସଭାପତି ମଧ୍ୟ ଥିଲେ। ସେ ନିଜର ଇସ୍ତଫା ପତ୍ର ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଛନ୍ତି । ସୁସ୍ମିତା ଦେବ ପାର୍ଟିରୁ ଇସ୍ତଫା ଦେବା କଂଗ୍ରେସକୁ ବଡ ଝଟକା ଲାଗିଛି । ଉଲ୍ଲେଖନୀୟ ଦୀର୍ଘ ସମୟରୁ ସେ ପାର୍ଟି ପ୍ରତି ଅସନ୍ତୁଷ୍ଟ ଥିଲେ । ଆସାମ ବିଧାନସଭା ନିର୍ବାଚନ ସମୟରେ ସେ ଅସନ୍ତୁଷ୍ଟ ଥିବା ଖବର ସାମ୍ନାକୁ ଆସିଥିଲା ।

ଇସ୍ତଫା ଦେବା ପୂର୍ବରୁ ସୁସ୍ମିତା ଦେବ କଂଗ୍ରେସ ପାର୍ଟିର ହ୍ୱାଟ୍ସଆପ୍ ଗ୍ରୁପକୁ ମଧ୍ୟ ଛାଡି ଦେଇଥିଲେ । ସେ ଟ୍ୱିଟରରୁ ମଧ୍ୟ ନିଜର ବାୟୋ ହଟାଇ ଦେଇଥିଲେ । ଏବେ ସେ ନିଜକୁ ବାୟୋରେ କଂଗ୍ରେସ ପାର୍ଟିର ପୂର୍ବତନ ନେତା ଦର୍ଶାଇଛନ୍ତି । ଏହି ପଦକ୍ଷେପ ସୁସ୍ମିତା ଦେବ ସେହି ସମୟରେ ଉଠାଇଛନ୍ତି, ଯେବେ ଟ୍ୱିଟର ତାଙ୍କ ଆକାଉଣ୍ଟକୁ ନିଲମ୍ବିତ କଲା । ସୁସ୍ମିତା ମଧ୍ୟ ସେହି ନେତାଙ୍କ ମଧ୍ୟରୁ ଜଣେ ଯାହାଙ୍କ ଟ୍ୱିଟର ଆକାଉଣ୍ଟକୁ ରାହୁଲ ଗାନ୍ଧୀଙ୍କ ସହ ସସପେଣ୍ଡ କରାଯାଇଥିଲା ।