କରୋନା ପରେ ଚିନ୍ତା ବଢ଼ାଇଛି ହୃଦ୍‌ଘାତ

ନୂଆଦିଲ୍ଲୀ: କରୋନା ମହାମାରୀ ନିୟନ୍ତ୍ରଣ ଭିତରକୁ ଆସିବା ପରେ ଦେଶରେ ଅଚାନକ ହୃଦଘାତ କାରଣରୁ ମୃତ୍ୟୁ ମାମଲା ଡାକ୍ତରଙ୍କୁ ଚିନ୍ତାରେ ପକାଇଛି । ହୃଦଘାତ କବଳରୁ ରୋଗୀଙ୍କୁ ବଂଚାଇବା ପାଇଁ ଡାକ୍ତରମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଉଛି ।

ବିହାରର ଦରଭଙ୍ଗା ମେଡିକାଲ କଲେଜରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ପାଉଥିବା ୪୫ ଜଣ ଡାକ୍ତର ସମୟାକ୍ରମେ ପୁଲିସ, ଟ୍ରାଫିକ୍‌ ପୁଲିସ, ସ୍କୁଲ କଲେଜ ଛାତ୍ରଛାତ୍ରୀ ଓ ଅଟୋ ଚାଳକଙ୍କୁ ତାଲିମ ପ୍ରଦାନ କରିବେ । କରୋନା ପରେପରେ ଦେଶରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାର ଦେଖି ସାଧାରଣ ଲୋକଙ୍କ ସମେତ ଡାକ୍ତରମାନେ ଚିନ୍ତାର ପଡ଼ି ଯାଇଛନ୍ତି ।
ଦରଭଙ୍ଗା ଡାକ୍ତରଙ୍କୁ ତାଲିମ ଦେଉଥିବା ବନାରସ ବିଶ୍ୱବିଦ୍ୟାଳୟ ଡାକ୍ତର ମୀଣା କହିଛନ୍ତି ଯେ ସେ ଡାକ୍ତରମାନଙ୍କୁ ଯୋଉ ତାଲିମ ଦେଉଛନ୍ତି, ସେହି ତାଲିମ ଯଦି ସାଧାରଣ ଲୋକମାନେ ଶିଖିଯାଆନ୍ତି; ତେବେ ଦେଶରେ ହୃଦଘାତଜନିତ ମୃତ୍ୟୁସଂଖ୍ୟା ୯୦ ଭାଗ କମିଯିବ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ କରୋନା ସମୟରେ ଲୋକଙ୍କ ଧମନୀ ଦୁର୍ବଳ ହେବା ସହିତ ଲୋଚାକୋଚା ହୋଇଯାଉଛି । ସେହି କାରଣରୁ ରକ୍ତ ସଂଚାଳନ ପ୍ରକ୍ରିୟା ସାମାନ୍ୟ ବାଧାପ୍ରାପ୍ତ ହେଲେ, ଲୋକଟିଏ ଅଚାନକ ବେହୋସ ହୋଇ ତଳେ ପଡ଼ି ଯାଉଛନ୍ତି ।